ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ଆଣିପାରେ କରୋନାର ନୂଆ ଲହର

ଜୋହାନ୍ସବର୍ଗ: ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ମାନବ ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରିପାରେ। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ଏହା ଜାଣିବାକୁ ପାଇଥିବା କହିଛନ୍ତି। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି କରୋନାର ଏକ ନୂଆ ଲହର ମଧ୍ୟ ଆଣିପାରେ। ତେବେ ଯେଉଁମାନ‌େ କରୋନା ଟିକା ନେଇଛନ୍ତି, ସେମାନଙ୍କ ଉପରେ ଏହି ଉପ-ପ୍ରଜାତି ପ୍ରଭାବଶାଳୀ ନୁହେଁ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ।

ରଏଟର୍ସ ନିଜ ରିପୋର୍ଟରେ ଦର୍ଶାଇଛି ଯେ ବିଭିନ୍ନ ଅନୁଷ୍ଠାନର ବୈଜ୍ଞାନିକମାନେ ଓମିକ୍ରନର ବିଏ.୪ ଏବଂ ବିଏ.୫ ସବ୍-ଭାରିଆଣ୍ଟ ଉପରେ ଅଧ୍ୟୟନ କରୁଥିଲେ, ଯାହା ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ମନିଟରିଂ ତାଲିକାରେ ଯୋଡିଥିଲା। ସେମାନେ ପ୍ରଥମେ ଗତ ବର୍ଷ ଶେଷରେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ୩୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରିଥିଲେ, ଯେଉଁଥିରୁ ନୂତନ ଉପ-ପ୍ରଜାତି ମାନବ ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରୁଥିବା ସାମ୍ନାକୁ ଆସିଥିଲା।

ତେବେ ଭାରତର ସ୍ଥିତି ଦେଖିବାକୁ ଗଲେ ଗତ କିଛି ଦିନ ହେଲାଣି କରୋନା ସଂକ୍ରମଣ ଧୀରେ ଧୀରେ ଉପରମୁହାଁ ହେଉଛି। ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୩୨୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୦ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୩୨୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୭୯,୧୮୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୪୦ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୩,୮୪୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୮୭୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୩୬,୨୫୩। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୯୦୯୨। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୯,୧୭,୬୯,୩୪୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର