ସୁବର୍ଣ୍ଣରେଖା ବନ୍ଦର ନିର୍ମାଣକୁ ସବୁଜ ସଙ୍କେତ

ନୂଆଦିଲ୍ଲୀ : ବାଲ୍ଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ବନ୍ଦରର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହି ପ୍ରକଳ୍ପକୁ ପ୍ରତିରକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀ ମୁହାଣରେ ବନ୍ଦର ନିର୍ମାଣ ପ୍ରକଳ୍ପକୁ ପ୍ରତିରକ୍ଷା ବିଭାଗ ଅନୁମୋଦନ ପ୍ରଦାନ କରିଛି। ପୂର୍ବରୁ ଏହି ପ୍ରକଳ୍ପ ନେଇ ପ୍ରତିରକ୍ଷା ବିଭାଗ ଆପତ୍ତି ଜଣାଇଥିଲେ। ଏହାର ସମାଧାନ କରାଯାଇଛି।

ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ନିକଟରେ ଏକ ସବୁଦିନିଆ ବାଣିଜ୍ୟିକ ବନ୍ଦର ନିର୍ମାଣ ପାଇଁ ଚେନ୍ନାଇର କ୍ରିଏଟିଭ୍‌ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ଼ (ସିପିପିଏଲ୍‌) ଆଗ୍ରହ ପ୍ରକାଶ କରିଛି। ଟାଟା ଷ୍ଟିଲ୍‌ ଏହାର ୫୧% ଅଂଶଧନ ନେବା ପାଇଁ ସିପିପିଏଲ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛି।

ଭୂମୀ ଅଧିଗ୍ରହଣ ଶେଷ ହୋଇଛି। ବନ୍ଦର ନିର୍ମାଣ ପାଇଁ ୯୬୧. ୧୮ ଏକର ଜମି ଆବଶ୍ୟକ ଥିବାବେଳେ ରାଜ୍ୟ ସରକାର ସିପିପିଏଲ୍‌କୁ ୯୬୨.୬୮ ଏକର ହସ୍ତାନ୍ତର କରିଛନ୍ତି। ପ୍ରାୟ ୧୨୮.୮ ଏକର ଜମି ଜବରଦଖଲରେ ରହିଛି। ଜବରଦକଲ ଉଚ୍ଛେଦ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହି ପ୍ରକଳ୍ପ ପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପ୍ରତିରକ୍ଷା ବିଭାଗ ଆପତ୍ତି ଉଠାଉଥିଲା। ଏବେ ପ୍ରକଳ୍ପର ଆନୁଷଙ୍ଗିକ କାର୍ଯ୍ୟକୁ ଅନୁମୋଦନ ମିଳିଛି ଏବଂ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରସ୍ତାବିତ ବନ୍ଦର ଉତ୍ତର ଓଡ଼ିଶାରେ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ଵିତ କରିବ ବୋଲି ଶିଳ୍ପ ବିଭାବ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର