ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆକ୍ସମ୍-୪ ଅଭିଯାନରେ ଯାତ୍ରା କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଭାରତୀୟ ବାୟୁସେନାର ପାଇଲଟ୍ ତଥା ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସୋମବାର ସଂସଦରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଶୁକ୍ଳା ନୂଆଦିଲ୍ଲୀ ଫେରିବାର ଗୋଟିଏ ଦିନ ପରେ ଆୟୋଜିତ ଏହି ସ୍ୱତନ୍ତ୍ର ଆଲୋଚନାରେ ବିରୋଧୀ ଦଳଗୁଡ଼ିକର ବହିଷ୍କାର ସତ୍ତ୍ୱେ ପ୍ରଶଂସା ଓ ଜାତୀୟ ଗୌରବର ଭାବନା ଦେଖିବାକୁ ମିଳିଥିଲା। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ଳାଙ୍କ ସଫଳତା ଓ ମହାକାଶରେ ଭାରତର ଆକାଂକ୍ଷା ପାଇଁ ଏହାର ଗୁରୁତ୍ୱକୁ ପ୍ରଶଂସା କରି ଏହି ଆଲୋଚନାର ନେତୃତ୍ୱ ନେଇଥିଲେ।
ସରକାରଙ୍କ ବିରୋଧରେ ବିରୋଧୀ କ୍ରୋଧ ପ୍ରକାଶ କରିପାରନ୍ତି, କିନ୍ତୁ ଆଜି ସେମାନଙ୍କ ଅନୁପସ୍ଥିତି ଜଣେ ଭାରତୀୟ ମହାକାଶଚାରୀ, ଜଣେ ଗଗନଯାତ୍ରୀ ଓ ଜଣେ ଉତ୍ସର୍ଗୀକୃତ ବାୟୁସେନା ପାଇଲଟଙ୍କ ବୀରତ୍ୱ ପ୍ରତି ଅବହେଳା ବୋଲି ସିଂହ କହିଥିଲେ। ଆମର ବୈଜ୍ଞାନିକ, ଇଞ୍ଜିନିୟର ଓ ମହାକାଶଚାରୀଙ୍କୁ ଅଣଦେଖା କରିବା ଦୁଃଖଦାୟକ। ଜାତୀୟ ଉତ୍ସବର ଏଭଳି ମୁହୂର୍ତ୍ତରେ ଅଂଶଗ୍ରହଣ କରିବାକୁ ବିରୋଧୀ ନେତାମାନଙ୍କୁ ଆହ୍ୱାନ ଦେଇ ଶ୍ରୀ ସିଂହ କହିଛନ୍ତି, ଆଜି ଭାରତ ଉତ୍ସବ ପାଳନ କରୁଛି ଏବଂ ପ୍ରତ୍ୟେକ ପିଲା ଶୁଭାଂଶୁ ଶୁକ୍ଳା ହେବାର ସ୍ୱପ୍ନ ଦେଖୁଛନ୍ତି। ବିରୋଧୀ ସଦସ୍ୟଙ୍କ କ୍ରମାଗତ ହଙ୍ଗାମା ସତ୍ତ୍ୱେ ଆଲୋଚନାରେ ବିଭିନ୍ନ ସାଂସଦ ଶୁକ୍ଳାଙ୍କୁ ପ୍ରଶଂସା କରିବା ସହ ତାଙ୍କ ମିସନର ବ୍ୟାପକ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ହେଉଥିବା ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଯାନ ଅବତରଣ କରିବାର ସଫଳତାକୁ ମଧ୍ୟ ସାଂସଦମାନେ ପ୍ରଶଂସା କରିଛନ୍ତି। ଆଲୋଚନା ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ବିରୋଧୀମାନେ ସ୍ବତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରୁ ନ ଥିବା ବେଳେ ମୁଁ କହିବାକୁ ଚାହୁଛି ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିଯାନକୁ ନେଇ ସମସ୍ତ ଭାରତୀୟ କେତେ ଗର୍ବିତ। ଶୁକ୍ଳାଙ୍କ ଅଗ୍ରଣୀ ଅଭିଯାନ ଭାରତର ମାନବ ମହାକାଶ ଯାତ୍ରା ଅଭିଳାଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଥରୁର ଗୁରୁତ୍ୱାରୋପ କରିଥିଲେ।
ମୋଦୀଙ୍କୁ ଭେଟିଲେ ଶୁଭାଂଶୁ
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ଆକ୍ସମ-୪ ମିସନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ସେ ନେଇଥିବା ଭାରତର ଜାତୀୟ ପତାକା ଏବଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଆନ୍ତର୍ଜାତିକ କ୍ରିଉ ଅଂଶବିଶେଷ ଭାବେ ଭାରତର ଜଣେ ମହାକାଶଚାରୀ କିପରି ଦୀର୍ଘକାଳୀନ ଅପରେସନରେ ଅଂଶଗ୍ରହଣ କରିଥିଲେ ସେ ନେଇ ତାଙ୍କ ଭିତରେ ରହିଥିବା ଉଲ୍ଲାସ ତଥା ଆହ୍ବାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବଖାଣି ଥିଲେ। ମହାକାଶ କେନ୍ଦ୍ରରେ କରାଯାଇଥିବା ବୈଜ୍ଞାନିକ ପରୀକ୍ଷଣ ଉପରେ ମତ ରଖିଥିଲେ। ଶୁଭାଂଶୁଙ୍କଠାରୁ ପାଇଥିବା ଉପହାର ତାଙ୍କର ହୃଦୟକୁ ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେବା ସହିତ ମହାକାଶକୁ ଏହି ଯାତ୍ରା ପିଢ଼ି ପରେ ପିଢ଼ିକୁ ପ୍ରେରିତ କରୁଥିବ ବୋଲି କହିଛନ୍ତି।