ତାଳୁରୁ ତଳିପା ମୁଖ ପରିଯନ୍ତେ ମିଥ୍ୟାପଦ ତ୍ୟାଗ କର।
ଜିହ୍ୱା ଅଗ୍ରରେ ସତ୍ୟ ଧର୍ମ ବସାଇ ପ୍ରକୃତିଗଣ ନିବାର।”
-ଭୀମଭୋଇ, ସ୍ତୁତି ଚିନ୍ତାମଣି (୯୩)
ମହିମା ଧର୍ମ ଓଡ଼ିଶାର ନିଜସ୍ୱ ଧର୍ମ। ମହିମା ଗୋସାଇଁ ଏହାର ପ୍ରତିଷ୍ଠାତା ହେଲେ ହେଁ, ଭୀମଭୋଇ ଏହାର ପ୍ରଧାନ ପ୍ରଚାରକ। ସେ ବିଶ୍ୱର ଜଣେ ଶ୍ରେଷ୍ଠ ଆଦିବାସୀ କବି। ତାଙ୍କର ଶ୍ରେଷ୍ଠ ରଚନା ‘ସ୍ତୁତି ଚିନ୍ତାମଣି’। ଗବେଷକଙ୍କ ମତରେ, ବୌଦ୍ଧଧର୍ମର ନାଗାର୍ଜୁନ, ଖ୍ରୀଷ୍ଟଧର୍ମର ସେଣ୍ଟ୍ ପଲ୍ ଓ ବ୍ରାହ୍ମସମାଜର କେଶବଚନ୍ଦ୍ର ସେନ୍ଙ୍କ ପରି, ମହିମାଧର୍ମରେ ଭୀମଭୋଇଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
‘ସ୍ତୁତି ଚିନ୍ତାମଣି’ର ୧୦୦ଟି ‘ବୋଲି’ରେ ଭୀମଭୋଇ ନିଜ ସଂପର୍କରେ ଅନେକ ସୂଚନା ଦେବା ସହିତ, ମହିମାଧର୍ମର ତତ୍ତ୍ୱକୁ ଆଧାର କରି ତାଙ୍କ ଚିନ୍ତାଭାବନା ଚମତ୍କାର ଭାବରେ ପ୍ରକଟ କରିଛନ୍ତି। ବ୍ୟକ୍ତି ଓ ସମାଜ ପାଇଁ ସେଥିରେ ରହିଛି ବହୁ ଅମୂଲ୍ୟ ଦିଗ୍ନିର୍ଦ୍ଦେଶ। ଉପରୋକ୍ତ ୯୩ ବୋଲିର ଏହି ପଦ ତାହାର ଏକ ଉଦାହରଣ।
ଭୀମଭୋଇ ଏଥିରେ କହିଛନ୍ତି- ତାଳୁରୁ ତଳିପା, ଅର୍ଥାତ୍ ସାମଗ୍ରିକ ଭାବରେ ସତ୍ୟ ଆଚରଣ ହିଁ ଆମର ଶ୍ରେଷ୍ଠ କର୍ତ୍ତବ୍ୟ ହେଉ। ଆମେ କେବେ ବି ମୁଖରେ ମିଥ୍ୟା କଥା ନକହୁ। ଜିହ୍ୱାଗ୍ର ଅର୍ଥାତ୍ ଆମର ବାଣୀ ସତ୍ୟ ଓ ଧର୍ମ ଆଧାରିତ ହେଲେ, ପ୍ରକୃତିମାନେ ବଶୀଭୂତ ହୋଇ ରହିବେ।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ, ଯେ ପ୍ରକୃତି ହେଉଛି ଭଗବାନଙ୍କର ମାୟାଶକ୍ତି। ଏହା ଦୁଇପ୍ରକାରର- ପରା ଓ ଅପରା। ପରା ପ୍ରକୃତି ଶ୍ରେଷ୍ଠ ଓ ଅପରା ପ୍ରକୃତି ନିକୃଷ୍ଟ। ଅପରା ପ୍ରକୃତି ମଧ୍ୟରେ ଅଛନ୍ତି ମନ, ବୁଦ୍ଧି ଓ ଅହଂକାର। ଏଣୁ ସତ୍ୟ ଓ ଧର୍ମ ଆଚରଣ କରି, ନିଜର ମନ, ବୁଦ୍ଧି ଓ ଅହଂକାରକୁ ନିୟନ୍ତ୍ରିତ କରିବା ଏବଂ ନିର୍ଗୁଣ, ନିରହଂକାର ବ୍ରହ୍ମଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ହେବାକୁ ଭୀମଭୋଇ ଏଥିରେ ନିର୍ଦ୍ଦେଶ କରିଛନ୍ତି।
ସୁଭାଷିତ: ମିଥ୍ୟା ତ୍ୟାଗ କର, ଜିହ୍ୱାରେ ସତ୍ୟଧର୍ମ ବସାଅ
/sambad/media/post_attachments/wp-content/uploads/2023/02/5sf4654fh6f5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)