ବିଜେପି ଶାସନକୁ ଆସିଲେ ମିଳିବ ଚିଟଫଣ୍ଡ ଟଙ୍କା: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରତିଶୃତିର ବର୍ଷା ସେତେ ବରଷିବାରେ ଲାଗୁଛି | ଆଉ ଏହି କ୍ରମରେ ଏବେ ପୁଣି ଫେରିଛି ଚିଟଫଣ୍ଡ ଟଙ୍କା | ନନ୍ଦିଗ୍ରାମରୁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ଟିକେଟରେ ଲଢ଼ୁଥିବା ଶୁଭେନ୍ଦୁ ଅଧିକାରୀ ନୂଆ ଘୋଷଣା କରିଛନ୍ତି | ଭୋଟରଙ୍କ ମନ ଜିତିବାକୁ ସେ ଚିଟଫଣ୍ଡ ଟଙ୍କାକୁ ନେଇ ଘୋଷଣା କରିଛନ୍ତି | ଶୁଭେନ୍ଦୁ ଆଜି ନନ୍ଦିଗ୍ରାମରେ ନିଜର ନୂଆ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିବା ଅବସରରେ କହିଛନ୍ତି ଯେ, ଯଦି ବିଜେପି ଶାସନକୁ ଆସିବ ତେବେ ଚିଟଫଣ୍ଡ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସେମାନଙ୍କୁ ଟଙ୍କା ମିଳିବ | ସୂଚନା ଥାଉ କି ଅତୀତରେ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁଭେନ୍ଦୁଙ୍କର ନାମ ମଧ୍ୟ ସାମ୍ନାକୁ ଆସିଥିଲା |

ଆଉ ଶୁଭେନ୍ଦୁ ମଧ୍ୟ ସିବିଆଇକୁ ଚିଠି ଲେଖି ଯାଞ୍ଚ କରିବାକୁ ଆହ୍ୱାନ କରିଥିଲେ | ଆଜି ନିର୍ବାଚନ କାର୍ଯ୍ୟାଳୟକୁ ଉଦଘାଟନ କରିବା ଅବସରରେ ଶୁଭେନ୍ଦୁ କହିଛନ୍ତି ଯେ ଯଦି ମମତା ବାନାର୍ଜୀ ଜିତିବେ ତେବେ ହିନ୍ଦୁମାନେ ସୁରକ୍ଷିତ ରହିବେ ନାହିଁ | ତେବେ ମମତାଙ୍କୁ ହରାଇବାକୁ ଶୁଭେନ୍ଦୁ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି |

ସେ କହିଛନ୍ତି ଯେ,’ମୁଁ ଏବେ ନନ୍ଦିଗ୍ରାମର ଭୋଟର ହୋଇଛି, ମୁଁ ଏଠାରେ କ୍ୟାମ୍ପ କରିବି ଆଉ ପ୍ରତ୍ୟେକଟି ବୁଥ ବୁଲିବି | ମମତା କିଭଳି ଜିତୁଛନ୍ତି ମୁଁ ଦେଖିବି | ମମତା ଏବେ ଖୁଦା ହାଫିଜ ଜପିବାକୁ ବନ୍ଦ କରିଦେଇଥିବାବେଳେ ତାଙ୍କ ପାଟିରେ ଏବେ ହିନ୍ଦୁ ଧର୍ମ ହିଁ ଶୋଭା ପାଉଛି | ମମତା ସାୟନି ଘୋଷଙ୍କୁ ଟିକଟ ଦେଇଥିବାବେଳେ ସେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଥିଲେ’ |

ସମ୍ବନ୍ଧିତ ଖବର