କରୋନା ଆକ୍ରାନ୍ତବେଳେ ମମତା ପଚାରିଲେନି, ଅମିତ ଶାହା ପଚାରିଥିଲେ: ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ମିଶିବା ପରେ ଦଳର କିଛି ଗୁମର ଖୋଲିଛନ୍ତି | ଅସୁବିଧା ସମୟରେ ଦଳ କିଭଳି ଵିଶ୍ଵାସଘାତ କରିଛି ସେହି କାହାଣୀ ବଖାଣିବା ସହ ଅମିତ ଶାହାଙ୍କ ସହ ସମ୍ପର୍କ କିଭଳି ସୃଷ୍ଟି ହୋଇଥିଲା ସେ ବାବଦରେ କହିଛନ୍ତି |

ଶୁଭେନ୍ଦୁ କହିଛନ୍ତି ଯେ ‘ଯେତେବେଳେ ମୁଁ କରୋନାରେ ଆକ୍ରାନ୍ତ ହୋଇଥିଲି, ସେତେବେଳେ ତୃଣମୂଳ କଂଗ୍ରେସର କୌଣସି ନେତା ମୋ ସ୍ୱାସ୍ଥ୍ୟ ବାବଦରେ ପଦେ ବି ପଚାରିନଥିଲେ | ଯେଉଁ ଦଳ ପାଇଁ ମୁଁ ବୁଲି ବୁଲି ପ୍ରଚାର କରିଥିଲି, ସେହି ଦଳ ମୋତେ ଭୁଲିଯାଇଥିଲା | କିନ୍ତୁ ଗୃହ ମନ୍ତ୍ରୀ ଅମିତ ଶାହା ମୋ ସ୍ୱାସ୍ଥ୍ୟ ବାବଦରେ ପଚାରିବୁଝିଥିଲେ’ |

ସେହିପରି ଶୁଭେନ୍ଦୁ କହିଛନ୍ତି ଯେ ‘କର୍ମୀ ହିସାବରେ ହିଁ ମୁଁ ବିଜେପିରେ କାର୍ଯ୍ୟ କରିବି | ଯଦି ବିଜେପି କହିବା ପତାକା ଲଗାଇବାକୁ ଲଗାଇବି, ଯଦି ବିଜେପି କହିବ ତେବେ ଗାଁ ଗାଁ ବୁଲି କାନ୍ଥରେ ଲେଖି ବିଜେପି ପାଇଁ ପ୍ରଚାର କରିବି | ମୁଁ ତୃଣମୂଳ କଂଗ୍ରେସକୁ ଚେତାବନୀ ଦେଉଛି ଯେ ୨୦୨୧ ନିର୍ବାଚନରେ ଯାହା ଚାଁହୁନାହାନ୍ତି ତାହା ହିଁ ଘଟିବାକୁ ଯାଉଛି | ଯେତେବେଳେ ମୁଁ ତୃଣମୂଳ କଂଗ୍ରେସରେ ଥିଲି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଥିଲି ଏବଂ ବର୍ତ୍ତମାନ ମୁଁ ବିଜେପିରେ ଅଛି, ଆଉ ବିଜେପି ପାଇଁ କଠିନ ପରିଶ୍ରମ କରିବି’ |

ସମ୍ବନ୍ଧିତ ଖବର