ଆଲୋକ ବର୍ମାଙ୍କୁ ଅପସାରଣ ମାମଲାରେ ମୋଦି ସରକାରଙ୍କୁ ସମାଲୋଚନା କଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ସୁବ୍ରମଣ୍ୟମ୍‌ ସ୍ୱାମୀ ମୋଦି ସରକାରକୁ ସମାଲୋଚନା କରିଛନ୍ତି। ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଯେଭଳି ପଦରୁ ହଟାଗଲା ତାହା ଅନୁଚିତ ବୋଲି ମନ୍ତବ୍ୟ ଦେଇଛନ୍ତି ସ୍ୱାମୀ। ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଲେକ୍‌ସନ୍‌ କମିଟି ବୈଠକରେ ବର୍ମାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ବର୍ମାଙ୍କୁ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିସନ୍‌ (ସିଭିସି)ଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗର ଉତ୍ତର ରଖିବା ଲାଗି ସୁଯୋଗ ଦିଆଯିବା ଆବଶ୍ୟକ ଥିଲା।

ଆଲୋକ ବର୍ମାଙ୍କୁ ବହିଷ୍କାର କରାଯିବା ମାମଲାରେ ସିଭିସି ତଦନ୍ତର ତଦାରଖ କରୁଥିବା ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ସହ ସ୍ୱାମୀ ଏକ ମତ ବୋଲି ଘୋଷଣା କରିଛନ୍ତି। ଜଷ୍ଟିସ୍‌ ପଟ୍ଟନାୟକ ତାଙ୍କର ମତାମତରେ ଏହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି କି ବର୍ମାଙ୍କ ବିରୋଧରେ ଦୁର୍ନୀତିର କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ସୁବ୍ୟମଣ୍ୟମ୍‌ ସ୍ୱାମୀ ମତ ଦେଇଛନ୍ତି କି କେନ୍ଦ୍ର ସରକାର ଅତ୍ୟନ୍ତ ତରବରିଆ ଶୈଳୀରେ ଏହି ମାମଲାକୁ ପରିଚାଳନା କରିଛନ୍ତି। ସିଭିସିଙ୍କ ମତ କେବେ ବି ଚୂଡ଼ାନ୍ତ ନୁହେଁ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସ୍ୱାମୀ କହିଛନ୍ତି ସରକାର ବର୍ମାଙ୍କୁ ସମନ କରି ସିଭିସିଙ୍କ ତଦନ୍ତ ରିପୋର୍ଟ ଦେଖାଇ ଏହାର ଜବାବ ମାଗିପାରିଥାନ୍ତେ। ମାତ୍ର ଆଲୋକ ବର୍ମାଙ୍କୁ ତାଙ୍କର ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ। ଏଥିସହ ସରକାର ସିଭିସି ତଦନ୍ତକୁ ତଦାରଖ କରୁଥିବା ଜଷ୍ଟିସ୍‌ ପଟ୍ଟନାୟକଙ୍କ ମତକୁ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି।

ଅନ୍ୟପକ୍ଷରେ ସିଭିସି ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ ୬ଟି ନୂଆ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗ ମଧ୍ୟରେ ରହିଛି ନିରବ ମୋଦି ଓ ବିଜୟ ମାଲ୍ୟାଙ୍କୁ ଜାରି କରାଯାଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର୍‌ ସଂପର୍କରେ ସେମାନଙ୍କୁ ପୂର୍ବରୁ ଅବଗତ କରାଇବା ଭଳି ସଙ୍ଗୀନ ଅପରାଧ।

ସମ୍ବନ୍ଧିତ ଖବର