ଧୋନିଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନି ଏଭଳି ଢଙ୍ଗରେ ତାଙ୍କ ଅବସର ଘୋଷଣା କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ତେବେ ଅବସର ପରେ ଧୋନିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି | ତେବେ ଏହି ସମୟରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଧୋନିଙ୍କୁ ୨୦୨୪ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।

ତେବେ ଧୋନି କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାମୀ ସେ ବାବଦରେ କିଛି କହିନାହାଁନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଛନ୍ତି ଯେ, “ଏମଏସ ଧୋନି କ୍ରିକେଟରୁ ଅବସର ନେଉଛନ୍ତି। ତାଙ୍କର ପ୍ରତିଭା ତଥା କ୍ରିକେଟରେ ପ୍ରଦର୍ଶନ କରିଥିବା ନେତୃତ୍ୱ ନେବାର କ୍ଷମତା ସାଧାରଣ ଜୀବନରେ ଆବଶ୍ୟକ, ସେ ୨୦୨୪ ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍”।


ଏଠାରେ ସୂଚନା ଥାଉ କି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତକାଲି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଧୋନୀ ଗତକାଲି ସବୁପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।

ସମ୍ବନ୍ଧିତ ଖବର