କୋଲକାତା: ସାରା ଦେଶର ଦଳର ବିସ୍ତାର ପାଇଁ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଗତକାଲି ବିହାର କଂଗ୍ରେସ ନେତା କୀର୍ତ୍ତି ଆଜାଦ ଓ ପବନ କୁମାର କଂଗ୍ରେସ ଛାଡି ଟିଏମସିରେ ସାମିଲ ହୋଇଛନ୍ତି । ତେବେ ଦିଲ୍ଲୀ ଗସ୍ତରେ ଥିବା ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପି ସାଂସଦ ତଥା ବିବାଦୀୟ ନେତା ସୁବ୍ରମଣ୍ୟମ ସ୍ୱାମୀ ଦିଦିଙ୍କୁ ଭେଟିଛନ୍ତି । ଦୁହେଁ ଦେଖା ହେବା ପରେ ସୁବ୍ରମଣ୍ୟମ୍ ସ୍ୱାମୀ ଖୁବଶୀଘ୍ର ଟିଏମସିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ଦିଦିଙ୍କୁ ଭେଟିବା ପରେ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, ମୁଁ ସର୍ବଦା ଦିଦିଙ୍କ ସହିତ ରହିଛି। ତେଣୁ ତାଙ୍କ ଦଳରେ ଯୋଗ ଦେବାର ଆବଶ୍ୟକତା ନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ଆଜିର ଏହି ବୈଠକ ତୃରମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀଙ୍କ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।  ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଗତମାସ ଦଳର ଜାତୀୟ କାର୍ଯ୍ୟନିର୍ବାହୀ କମିଟିରୁ ବାଦ ପଡିଥିଲେ ଓ ସେ ଅନେକ ସମୟରେ ମମତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଗତ ଅକ୍ଟୋବର ମାସରେ ମମତା ବାନାର୍ଜୀଙ୍କ ରୋମ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ନେଦେବାରୁ ସ୍ୱାମୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ଏସବୁକୁ ନଜର କଲେ ସୁବ୍ରମଣ୍ୟମ୍ ସ୍ୱାମୀ ବିଜେପିରେ ରହି ଖୁସି ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପଟେ ଜାତୀୟ ରାଜନୀତିରେ ଏବେ ମମତାଙ୍କ ଦବଦବା ବଢୁଛି ତେଣୁ ସୁବ୍ରମଣ୍ୟମ ସ୍ୱାମୀ ଏହି ସୁଯୋଗରେ ଟିଏମସିରେ ଯୋଗଦେଇ ନିଜର ମଉଳି ଯାଇଥିବା ରାଜନୈତିକ ଭବିଷ୍ୟତ ପୁଣି ଚମକାଇବାକୁ ଚେଷ୍ଟା କରିପାରନ୍ତି ।