ନୂଆଦିଲ୍ଲୀ: ଦେଶରେ ଚାଲିଆସୁଥିବା ମୃତ୍ୟୁ ଦଣ୍ଡ ଭାବେ ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ନୋଟିସ୍ କରିଛନ୍ତି। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଅନ୍ୟ ଯେଉଁସବୁ ସହଜ ବିକଳ୍ପ ରହିଛି ସେଥିରୁ କେଉଁ ଉପାୟକୁ ଗ୍ରହଣ କରାଯିବ ସେ ସଂପର୍କରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମ୍କୋର୍ଟ ସରକାରଙ୍କୁ ୩ ମାସ ମଦ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତ।
ସୂଚନାଯୋଗ୍ୟ, ନିକଟରେ ସୁପ୍ରିମ୍ କୋର୍ଟରେ ଆଇନଜୀବୀ ଋଷି ମଲହୋତ୍ରା ଫାଶୀର ବିକଳ୍ପ ବାହାର କରିବା ପାଇଁ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଥିଲେ। ଫାଶୀ ବ୍ୟବସ୍ଥା ଅତ୍ୟନ୍ତ ନିଷ୍ଠୁର ଓ ଯନ୍ତ୍ରଣାଦାୟକ ଥିବାରୁ ଏହାର ବକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସୁପ୍ରିମ୍ କୋର୍ଟରେ ମାମଲା ଦାଏର ହୋଇଥିଲା। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ବିଷ ଇଂଜେକ୍ସନ ପ୍ରୟୋଗ କରିବା, ଗୁଳି ମାରିବା କିମ୍ବା ବିଦ୍ୟୁତ୍ ଝଟ୍କା ଦେବା ଆଦି ବିକଳ୍ପରୁ କୌଣସିକୁ ଗ୍ରହଣ କରିବା ପାଇଁ ଦାବି କରିଥିଲେ ମଲହୋତ୍ରା।
ଋଷି ମଲହୋତ୍ରା ଦେଇଥିବା ଦଲିଲ୍ ଅନୁସାରେ, ସମ୍ବିଧାନର ଅନୁଛେଦ ୨୧ରେ ସମ୍ମାନର ସହ ବଂଚିବା ଏବଂ ସମ୍ମାନର ସହ ମରିବା ଅଧିକାର ସାମିଲ୍ ଅଛି। କିନ୍ତୁ ଫାଶୀ ଦେବା ଦ୍ୱାରା ବ୍ୟକ୍ତିଙ୍କର ସମ୍ମାନର ସହ ମରିବାର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ ।ତେଣୁ ଫାଶୀର ବିକଳ୍ପ ବାହାର କରିବା ଉଚିତ ବୋଲି ଯୁକ୍ତି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଯେଉଁ ଫାଶୀ ବ୍ୟବସ୍ଥା ରହିଛି ସେଥିରେ ଦୋଷୀକୁ ମରିବା ପାଇଁ ଅତି କମ୍ରେ ୪୦ ମିନିଟ୍ ସମୟ ଲାଗିଥାଏ।ଏହା ବଦଳରେ ଗୁଳି ମାରିଲେ କିମ୍ବା ବିଦ୍ୟୁତ ଚେୟାରରେ କିଛି ମିନିଟ୍ ପାଇଁ ବସାଇଦେଲେ ମୃତ୍ୟୁ ସହଜରେ ହୋଇପାରିବ ବୋଲି କୁହାଯାଇଛି।ଶୁଣାଣିରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ମୃତ୍ୟୁ ଦଣ୍ଡ ଦେବାପାଇଁ ନୂତନ ବୈଜ୍ଞାନିକ ଆବିଷ୍କାରକୁ ଗ୍ରହଣ କରିବା ନିମନ୍ତେ ବିଚାର କରିବାକୁ ହେବ।ଦୋଷୀକୁ ଶାନ୍ତିରେ ମୃତ୍ୟୁ ଦେବା ଉପରେ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି। ଫାଶୀ ପାଉଥିବା ଲୋକଟିର ମଧ୍ୟ କଷ୍ଟ ଓ ସମ୍ମାନ ଗୁରୁତ୍ୱପୂର୍ଣ୍ଣ।