ଉତ୍ତରକାଶୀ :  ପ୍ରକୃତି ସହ ପ୍ରାୟ ୪୦୦ ଘଣ୍ଟାର ସଂଘର୍ଷ  ପରେ ମୁକ୍ତିର ଆଲୋକ ଦେଖିଛନ୍ତି ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଫସିରହିଥିବା ଶ୍ରମିକମାନେ ବାହାରକୁ ଆସିଛନ୍ତି । ଏହାକୁ ନେଇ ସାରାଦେଶରେ ଖେଳିଯାଇଛି ଆନନ୍ଦର ଲହରୀ। ପ୍ରଥମେ ୫ ଜଣ ଶ୍ରମିକ ଆସିଥିଲେ  ତା’ପରେ ଆଉ ୪ ଜଣ ଶ୍ରମିକ ଆସିଥିଲେ । ପ୍ରଥମ ଦଫାରେ ବାହାରି ଥିବା ୧୦ ଶ୍ରମିକଙ୍କ ମଧ୍ୟରେ ୩ ଓଡ଼ିଆ ଶ୍ରମିକ ତପନ ମଣ୍ଡଳ, ଭଗବାନ ଭଦ୍ରା ଓ ବିଶ୍ବେଶ୍ବର ନାୟକ ଥିଲେ। ଏହାପରେ ଜଣଙ୍କ ପରେ ଜଣେ ୪୧ ଜଣ ଶ୍ରମିକ ସୁଡ଼ଙ୍ଗରୁ ବାହାରି ଆସିଥିଲେ। ପ୍ରଥମେ ରାଟ୍ ମାଇନରମାନେ ଖୋଳିଥିବା ଗର୍ତ୍ତଦେଇ ସର୍ବକନିଷ୍ଠ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ଏହାପରେ ବୟସାନୁସାରେ କ୍ରମାନ୍ବୟରେ ଶ୍ରମିକମାନେ ବାହାରକୁ ଆସିଥିଲେ। ଶେଷରେ ୪୧ ଶ୍ରମିକଙ୍କର ମୁଖିଆଙ୍କୁ ସୁଡ଼ଙ୍ଗରୁ ଉପରକୁ ଅଣାଯାଇଥିଲା। ସମସ୍ତ ଶ୍ରମିକଙ୍କ ଉଦ୍ଧାର ସଂପନ୍ନ ହେବା ପରେ ଭିତରକୁ ଯାଇଥିବା ଏନଡିଆରଏଫ୍ ଯବାନ ଉପରକୁ ଆସିଥିଲେ ଓ ବିଧିବଦ୍ଧ ଭାବେ ଅପରେସନ୍‌ ସୁଡ଼ଙ୍ଗ ଶେଷ ହୋଇଥିଲା।

Advertisment

ସୂଚନା ଅନୁସାରେ, ସୁଡ଼ଙ୍ଗ ଭିତରକୁ ବାଟ ଫିଟିବା ପରେ ମଙ୍ଗଳବାର ସଂଧ୍ୟା ୭ଟା ୫ ମିନିଟରେ ପାଇପ୍ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା । ଏହା ପରେ ଏନଡିଆରଏଫ ପକ୍ଷରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଝାଡ଼ଖଣ୍ଡର ବାସିନ୍ଦା ବିଜୟ ହୋରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଶ୍ରମିକ ଗଣପତି ହୋରୋଙ୍କୁ ମଧ୍ୟ ସୁଡ଼ଙ୍ଗରୁ ବାହାର କରାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ରମନ୍ତ୍ରୀ ଭି.କେ.ସିଂ ତାଙ୍କୁ ଶାଲ ଦେଇ ସ୍ୱାଗତ କରିଥିଲେ। ଜଣଙ୍କ ପରେ ଜଣେ ୪୧ ଶ୍ରମିକ ବାହାରିଥିଲେ। ମୋଟାମୋଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି।

ରାଟ୍ ମାଇନରମାନେ ଗାତ ‌ଖୋଳିବା ପରେ ସେହି ରାସ୍ତା ଦେଇ  ଶ୍ରମିକମାନଙ୍କୁ ଉଦ୍ଧାର ଲାଗି  ୮୦୦ ମିଲିମିଟର ବ୍ୟାସର ପାଇପ୍ ଲଗାଯାଇଥିଲା। ଏହି ପାଇପ୍ ଜରିଆରେ ଶ୍ରମିକମାନଙ୍କୁ ଜଣକ ପରେ ଜଣେ ବାହାରକୁ ଆସିଥିଲେ। ଯେଉଁ ଶ୍ରମିକମାନେ ଦୁର୍ବଳ ଅଛନ୍ତି କିମ୍ବା କୌଣସି କାରଣରୁ ବାହାରକୁ ବାହାରି ପାରୁନଥିଲେ, ସେମାନଙ୍କ ପାଇଁ ଚକା ଲାଗିଥିବା ଷ୍ଟ୍ରେଚର ତିଆରି କରାଯାଇଥିଲା।

ଉଳ୍ଲେଖଯୋଗ୍ୟ,  ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ।  ଏହାପରେ ସେମାନଙ୍କୁ ବାହାରକୁ ଆଣିବା ଲାଗି କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଏନଏଚଆଇଡିସିଏଲ, ଆରଭିଏନଏଲ, ଏସଜେଭିଏନଏଲ, ଓଏନଜିସି, ଟିଏଚଡିସି, ସିଆଇଏମଏଫଆର, ବିଆରଓ ଓ ଜିଏସଆଇ ଭଳି ସଂସ୍ଥା ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସମେତ ଅନେକ ଘରୋଇ ଏଜେନ୍ସିର ଅଧିକାରୀମାନେ ଏହି ୪୦୦ ଘଣ୍ଟାର ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ମେସିନ୍ ଅପରେଟର, ୱେଲ୍ଡର୍, ରାଟ୍ ମାଇନର୍ସ, ପୁଲିସ, ଏସ୍‌ଡିଆର୍‌ଫ୍, ଏନଡିଆରଏଫ, ବିଆରଓ, ସେନା, ଆଇଟିବିପି, ଜିଲ୍ଲା ପ୍ରଶାସନ ଏବଂ ଅପରେସନରେ ସମ୍ପୃକ୍ତ ସମସ୍ତଙ୍କର କଠିନ ପରିଶ୍ରମ ବଳରେ ୪୧ ଶ୍ରମିକଙ୍କ ଉଦ୍ଧାର ସମ୍ଭବ ହୋଇଛି। ଭାରତ ସରକାର ଓ ଉତ୍ତରାଖଣ୍ଡର ରାଜ୍ୟ ସରକାରଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ।