‘ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ’ର ସଫଳତା: ନିର୍ମାଣ ହୋଇଛି ୧୧ କୋଟି ପାଇଖାନା ଓ ୨.୨୩ ଲକ୍ଷ ଗୋଷ୍ଠୀ ଶୌଚାଳୟ

ନୂଆଦିଲ୍ଲୀ : ‘ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ’ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨ ଅକ୍ଟୋବର ୨୦୧୯ ସୁଦ୍ଧା ଦେଶକୁ ଖୋଲା ମଳମୁକ୍ତ (ଓଡିଏଫ୍) କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଅବଧି ମଧ୍ୟରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୦ କୋଟିରୁ ଅଧିକ ବ୍ୟକ୍ତିଗତ ପାରିବାରିକ ପାଇଖାନା ନିର୍ମାଣ କରାଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ନିଜକୁ ଓଡିଏଫ୍ ଘୋଷଣା କରିଥିଲେ। ଜିଲ୍ଲାଗୁଡ଼ିକର ଓଡିଏଫ୍ ସ୍ଥିତିକୁ ସୁନିଶ୍ଚିତ କରି ଜିଲ୍ଲାପାଳମାନଙ୍କର ଦସ୍ତଖତ ଥିବା ପ୍ରମାଣପତ୍ର ସବୁ ଜିଲ୍ଲା ପକ୍ଷରୁ ଅପଲୋଡ୍‌ କରାଯାଇଥିଲା। ଏହାପରେ ଯୋଜନାରୁ ବାଦ୍‌ ପଡ଼ିଥିବା ପରିବାର କିମ୍ବା ନୂଆ ପରିବାରକୁ ଏହି କାର୍ଯ୍ୟକ୍ରମ ଅଧୀନରେ ପାଇଖାନା ନିର୍ମାଣ କରିବା ଲାଗି ସହାୟତା ଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, ସ୍ୱଚ୍ଛତା ଏକ ରାଜ୍ୟ ବିଷୟ ଏବଂ ଶୌଚାଳୟ ନିର୍ମାଣ କରିବା ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ ରହିଛି। ଶୌଚାଳୟ ନିର୍ମାଣ କରିବା ଓ ସୁବିଧା ଯୋଗାଇ ଦେବା ଛଡ଼ା ଏହାର ନିରନ୍ତର ବ୍ୟବହାର ଓଡିଏଫ୍ ସ୍ଥିତି ପାଇଁ ଜରୁରି, ଏହା ଏକ ପ୍ରମୁଖ ଅଭ୍ୟାସଗତ ପ୍ରସଙ୍ଗ। ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୦ରେ ଆରମ୍ଭ ହୋଇଥିଲା। ଏଥିରେ ନିରନ୍ତର ବ୍ୟବହାର ପରିବର୍ତ୍ତନ ଅଭିଯାନ, ଓଡିଏଫ୍ ସ୍ଥିତିକୁ ବଜାୟ ରଖିବା, କେହି ଜଣେ ଯେପରି ପଛରେ ପଡ଼ି ନ ଯାଆନ୍ତି ତାହା ସୁନିଶ୍ଚିତ କରିବା ଏବଂ ଗ୍ରାମାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯୋଗାଇ ଦେବା, ବାକି ରହିଯାଇଥିବା ଓ ନୂଆ କରି ଗଠନ ହୋଇଥିବା ପରିବାର ପାଇଁ ପାଇଖାନା ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରୟାସ ଜାରି ରହିଲା।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌)ରେ ମୁଖ୍ୟତଃ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇଛି ଏବଂ ଏଥିରେ ୧୩୧ଟି ସୂଚକାଙ୍କକୁ ସାମିଲ କରାଯାଏ। ପରିମଳ ହେଉଛି ଏହାର ଏକ ଛୋଟ ଅଂଶ। ଏନ୍‌ଏଫ୍‌ଏଚ୍‌ଏସ୍‌ର ଅନୁସନ୍ଧାନକୁ ଆଧାର କରି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଥିଲା ଏବଂ ସେମାନଙ୍କ ସ୍ତରରେ ପରିମଳ ସ୍ଥିତି ଆକଳନ କରିବାକୁ କୁହାଯାଇଥିଲା। ନମୁନା ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ଆକଳନ ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ତଥ୍ୟ ସହିତ ମେଳ ଖାଉ ନାହିଁ। କିଛି ରାଜ୍ୟରେ ଅଧିକ ତାରତମ୍ୟ ଦେଖିବାକୁ ମିଳିଛି।

ଅକ୍ଟୋବର ୨୦୧୪ ପରଠାରୁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କେହି ଜଣେ ଯେପରି ଶୌଚାଳୟ ସୁବିଧାରୁ ବଞ୍ଚିତ ନ ରୁହନ୍ତି ତାହା ସୁନିଶ୍ଚିତ କରିବା ଲାଗି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୦୨୦ ପରଠାରୁ ୯୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର