ଦିନେ ଜୀବନ ସଂଘର୍ଷ ଆରମ୍ଭ କରିଥିଲେ ଛୋଟ କମ୍ପାନିରେ ରିସେପସନିଷ୍ଟ ଭାବେ; ହେଲେ ନିଜର ପ୍ରଚେଷ୍ଟାରେ ଏବେ ଦକ୍ଷ ଆଇପିଏସ ଅଫିସର

ନୂଆଦିଲ୍ଲୀ: ଟ୍ୟାଲେଣ୍ଟ ଥିଲେ ବି ଆଇପିଏସ୍‌ ଅଫିସର ହେବା ଏତେ ସହଜ ନଥିଲା। କାରଣ, ଆଇପିଏସ୍‌ ପ୍ରସ୍ତୁତି ପାଇଁ ଘର ଲୋକଙ୍କ ସମର୍ଥନ ଥିଲେ ବି ବାଧକ ସାଜିଥିଲା ଅର୍ଥ। ତେଣୁ ପଢା ଖର୍ଚ୍ଚ ଉଠାଇବାକୁ କେବେ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ ତ କେବେ ରିସେପସନିଷ୍ଟ ଭାବେ କାମ କରୁଥିଲେ। ଶେଷରେ ସଂଘର୍ଷ ଭିତରେ ସଫଳତାକୁ ଛୁଇଁଥିଲେ ଆଉ ବନିଯାଇଥିଲେ ଆଇପିଏସ୍‌ ଅଫିସର। ଆମେ କହୁଛୁ ଆଇପିଏସ୍‌ ପୂଜା ଯାଦବଙ୍କ କଥା…

୧୯୮୮ ସେପ୍ଟେଟର ୨୦ରେ ହରିୟାଣାରେ ଜନ୍ମ ନେଇଥିଲେ ପୂଜା ଯାଦବ। ପୂଜା ନିଜ ସ୍କୁଲ ଶିକ୍ଷା ସ୍ଥାନୀୟ ସ୍କୁଲରେ ଶେଷ କରିବା ପରେ ବାୟୋଟେକ୍ନୋଲୋଜି ଆଣ୍ଡ ଫୁଡ୍‌ ଟେକ୍ନୋଲୋଜିରେ ଏମଟେକ୍‌ କଲେ। ଏହାପରେ ତାଙ୍କୁ ଜର୍ମାନୀ ଓ କାନାଡାରେ ଚାକିରି ମିଳିଥିଲା। ସେଠାରେ କିଛି ଦିନ ଚାକିରି କରି ବେଶ ଖୁସିରେ ରହିଥିଲେ। ହେଲେ ପରବର୍ତ୍ତୀ ସମୟରେ ପୂଜାଙ୍କ ମନ ଚାକିରିରେ ଲାଗି ନଥିଲା। ନିଜ ଦେଶ ପାଇଁ କିଛି କରିଯିବାର ମାନସିକତା ତାଙ୍କ ମନରେ ରହିଥିଲା। ତେଣୁ ସେଠାରୁ ଚାକିରି ଛାଡି ଭାରତ ଫେରିଆସିଥିଲେ ପୂଜା। ଆଉ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ହେଲେ ସେତେବେଳେ ୟୁପିଏସସି ପ୍ରସ୍ତୁତି ପାଇଁ ପରିବାର ପକ୍ଷରୁ ସମର୍ଥନ ମିଳିଥିଲେ ବି ବାପା ଆର୍ଥିକ ଭାବେ ସହଯୋଗ କରିବାକୁ ଅସମର୍ଥ ଥିଲେ। ତେଣୁ ପିଲାଙ୍କୁ ଟ୍ୟୁସନ୍‌ କରିବା ସହ ଏକ କମ୍ପାନିରେ ରିସେପସନିଷ୍ଟ ଭାବେ କାମ ଆରମ୍ଭ କରିଥିଲେ ପୂଜା। ଏହି ସଂଘର୍ଷମୟ ଜୀବନ ଭିତରେ ୟୁପିଏସସି ପାଇଁ ପ୍ରସ୍ତୁତ ହେବା ପୂଜାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ହେଲେ ଏହାପରେ ବି ସଫଳତାର ଶୀର୍ଷରେ ପହଞ୍ଚିଥିଲେ।

୨୦୧୭ରେ ପ୍ରଥମ ଥର ପାଇଁ ପୂଜା ୟୁପିଏସସି ପରୀକ୍ଷା ଦେଇଥିଲେ। ପ୍ରଥମ ଥର ତାଙ୍କୁ ନିରାଶା ମିଳିଥିଲେ ବି ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ମିଳିଥିଲା ସଫଳତା। ଟ୍ରେନିଙ୍ଗ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂ ମିଳିଥିଲା ରାଜସ୍ଥାନର ଥରାଦ ସୀମାରେ। ଥରାଦ ହେଉଛି ଏକ ସମ୍ବେଦନଶୀଳ ସ୍ଥାନ। ହେଲେ ଏହି ସ୍ଥାନରେ ବି ନିଜର କର୍ମନିପୁଣତାକୁ ବେଶ ପ୍ରମାଣିତ କରିପାରିଛନ୍ତି ଏହି ମହିଳା ଆଇପିଏସ୍‌।

ଗୁଜରାଟର ବନାସଗାଠା ଜିଲ୍ଲାର ଥରାଦ ଏକ ଏପରି ଇଲାକା ଯେଉଁଠାରେ ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ଏକ ବଡ ଚ୍ୟାଲେଂଜ। କାରଣ ଏହାର ସୀମା ରାଜସ୍ଥାନ ଓ ପାକିସ୍ତାନକୁ ଲାଗି ରହିଛି। ତେଣୁ ଏଠାରେ ଅପରାଧିକ ମାମଲା ଅଧିକ। କିନ୍ତୁ ଅପରାଧିଙ୍କୁ ମାତ୍‌ ଦେବାକୁ ଏଠାରେ ଆଇନ ବ୍ୟବସ୍ଥା ପୂଜାଙ୍କ ହାତରେ ରହିଛି। ୨୦୧୮ ବ୍ୟାଚର ଆଇପିଏସ୍‌ ପୂଜା ଯାଦବ ଇଣ୍ଟରନ୍ୟାସନାଲ ଟେରରିଜିମର ଏହି କ୍ଷେତ୍ରରେ କାମ କରି ଅନେକ ଅଭିଜ୍ଞତା ହାସଲ କରିବାକୁ ଥରାଦରେ ପ୍ରଥମ ନିଯୁକ୍ତିକୁ ସୌଭାଗ୍ୟ ବୋଲି ମନେ କରନ୍ତି। ଖାଲି ସେତିକି ନୁହେଁ ଅପରାଧ ପ୍ରବଣ ଥରାଦରେ ପୂଜା ହେଉଛନ୍ତି ପ୍ରଥମ ମହିଳା ଆଇପିଏସ୍‌ ଅଫିସର।

ପୂଜା ଯାଦବଙ୍କ ସମ୍ପର୍କ ଏମିତି ରାଜ୍ୟ ସହ ଯେଉଁଠି ଏବେବି ପୁଅ ଓ ଝିଅଙ୍କ ଭିତରେ ପ୍ରଭେଦ କରାଯାଏ। କିନ୍ତୁ ଏସବୁ ପ୍ରତିବନ୍ଧକ ପରେ ବି ପୂଜା ଏପରି ସଫଳତା ହାସଲ କରିଛନ୍ତି ଯାହା ପାଇଁ ପୂରା ହରିଆଣା ଗର୍ବିତ। ସାଧାରଣ ଜନତା ଓ ପୁଲିସ ମଧ୍ୟରେ ଥିବା ଦୂରତାକୁ କମ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି ପୂଜା। ଚଳିତ ବର୍ଷ ୨୦୧୬ ବ୍ୟାଚ୍‌ ଆଇଏଏସ୍‌ ବିକଳ୍ପ ଭରଦ୍ୱାଜଙ୍କୁ ବିବାହ କରିଛନ୍ତି ପୂଜା ଯ ସୋସିଆଲ ସାଇଟରେ ବେଶ ସକ୍ରିୟ ପୂଜା ଯାଦବ। ଏବେ ଇନଷ୍ଟାଗ୍ରାମରେ ତାଙ୍କର ୨.୫ ଲକ୍ଷ ଫଲୋଅର୍ସ ଅଛନ୍ତି। ଲୋକଙ୍କ ସହ ନିଜ ଭାବାବେଗକୁ ବାଣ୍ଟିବାକୁ ସୋସିଆଲ ମିଡିଆ ଏକ ଭଲ ପ୍ଳାଟଫର୍ମ ବୋଲି କୁହନ୍ତି ପୂଜା।

ସମ୍ବନ୍ଧିତ ଖବର