ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଭୋର ୫ଟା ୫୯ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ଦୁଇଟି ଛୋଟ ଉପଗ୍ରହ ସହ ଏକ ରାଡାର ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି। ଏହା ହେଉଛି ୨୦୨୨ ମସିହାରେ ଇସ୍ରୋର ପ୍ରଥମ ଲଞ୍ଚ ମିସନ।

Advertisment

ପିଏସ୍‌ଏଲ୍‌ଭି-ସି୫୨ ଲଞ୍ଚ ଭେହିକ୍‌ଲଟି ୧,୭୧୦ କେଜି ଓଜନବିଶିଷ୍ଟ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍-୦୪କୁ ୫୨୯ କିମିର ସନ୍-ସିଙ୍କ୍ରୋନସ୍ ପୋଲାର ଅର୍ବିଟରେ ସ୍ଥାପନ କରିବ। ଏହା ଏକ ରାଡାର ଇମେଜିଂ ସାଟେଲାଇଟ୍ ଯାହା ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଫଟୋ ଉତ୍ତୋଳନ କରି ପୃଥିବୀକୁ ପଠାଇବ। କୃଷି, ଜଙ୍ଗଲ ଓ ବନୀକରଣ, ମୃତ୍ତିକାର ଆର୍ଦ୍ରତା ଓ ଜଳବିଜ୍ଞାନ ଏବଂ ବନ୍ୟା କ୍ଷୟକ୍ଷତି ଆଦିର ସର୍ବେକ୍ଷଣ ପ୍ରଭୃତି କ୍ଷେତ୍ରରେ ଏଗୁଡ଼ିକର ଉପଯୋଗ ହୋଇପାରିବ।

ଯେଉଁ ଛୋଟ ଛୋଟ ଦୁଇଟି ସହଯାତ୍ରୀ ସାଟେଲାଇଟ୍‌ ପଠାଯାଇଛି, ସେଥିରୁ ଗୋଟିଏ ହେଉଛି ଷ୍ଟୁଡେଣ୍ଟ ସାଟେଲାଇଟ୍ ଇନ୍‌ସ୍ପାୟାର୍‌ସାଟ୍‌-୧। କଲରାଡୋ ବିଶ୍ବବିଦ୍ୟାଳୟ, ବୋଲ୍‌ଡରର ଲାବୋରେଟୋରି ଅଫ୍ ଆଟ୍‌ମସ୍‌ଫିୟରିକ୍ ଆଣ୍ଡ୍ ସ୍ପେସ୍ ଫିଜିକ୍ସ ସହଯୋଗରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ତରଫରୁ ଏହା ମହାକାଶକୁ ଛଡ଼ାଯାଇଛି। ଏଥିପାଇଁ ଏନ୍‌ଟିୟୁ, ସିଙ୍ଗାପୁର ଏବଂ ଏନ୍‌ସିୟୁ, ତାଇୱାନର ଅବଦାନ ମଧ୍ୟ ଅଛି। ଏହି ଉପଗ୍ରହରେ ଦୁଇଟି ସାଇଣ୍ଟିଫିକ୍ ପେଲୋଡ୍‌ ରହିଛି, ଯାହା ଆୟନୋସ୍ଫି୍ୟରର ବ୍ୟବହାର ଏବଂ ସୂର୍ଯ୍ୟମଣ୍ଡଳର କରୋନୀୟ ତାପନ ପ୍ରକ୍ରିୟା (କରୋନାଲ୍ ହିଟିଂ ପ୍ରସେସ୍) ବିଷୟରେ ଅଧିକ ଭଲଭାବେ ବୁଝିବାରେ ସାହାଯ୍ୟ କରିବ। ଅନ୍ୟ ଛୋଟ ଉପଗ୍ରହଟି ହେଉଛି, ଟେକ୍ନୋଲୋଜି ଡିମୋନଷ୍ଟ୍ରେଟର ସାଟେଲାଇଟ୍ (ଆଇଏନ୍‌ଏସ୍‌-୨ଟିଡି)। ଏହା ହେଉଛି ଭାରତ-ଭୁଟାନ ମିଳିତ ଉପଗ୍ରହ (ଆଇଏନ୍‌ଏସ୍-୨ବି)ଯୋଜନାର ପୂର୍ବ ପ୍ରୟାସ।

ଇସ୍ରୋର ଏହି ସଫଳତାରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଟ୍ବିଟ୍ କରି ବଧାଇ ଜଣାଇଛନ୍ତି। ଇସ୍ରୋର ଉପଗ୍ରହ ଉତ୍‌କ୍ଷେପଣ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ତାଇୱାନର ଗବେଷକମାନେ ସାମିଲ ହୋଇଛନ୍ତି। ଚଳିତବର୍ଷ ଇସ୍ରୋ ପକ୍ଷରୁ ଅନେକ ଉତ୍‌‌କ୍ଷେପଣ ଯୋଜନା ରହିଛି। ଏଥିରେ ଚନ୍ଦ୍ରଯାନ-୩ ପ୍ରେରଣ ଯୋଜନା ମଧ୍ୟ ରହିଛି।