ଶ୍ରୀହରିକୋଟା : ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଆଜି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ହାଇଦ୍ରାବାଦର ଘରୋଇ ଷ୍ଟାର୍ଟଅପ୍ କମ୍ପାନି ସ୍କାଏରୁଟ୍ ଏରୋସ୍ପେସ ଦ୍ବାରା ବିକଶିତ ଭାରତର ପ୍ରଥମ ରକେଟ୍ର ଉତ୍କ୍ଷେପଣ ସଫଳତାର ସହ ସମ୍ପାଦନ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଇସ୍ରୋ ଲଞ୍ଚପ୍ୟାଡ୍ରୁ ଏହାର ଉତ୍କ୍ଷେପଣ ହୋଇଛି। ଭାରତରେ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମରେ ଉକ୍ତ ରକେଟର ନାମ ବିକ୍ରମ ରଖାଯାଇଛି। ପୂର୍ବାହ୍ଣ ୧୧ଟା ୩୦ ମିନିଟରେ ବିକ୍ରମ-ଏସ୍ (ବିକ୍ରମ-ସବ୍ଅର୍ବିଟାଲ) ନାମକ ରକେଟ ମହାକାଶକୁ ପଠାଯାଇଥିଲା। ଏହି ମିସନର ନାମ ‘ପ୍ରାରମ୍ଭ’ ବା ଆରମ୍ଭ ରଖାଯାଇଛି। ଉତ୍କ୍ଷେପଣ ହେବାର ୨.୩ ମିନିଟ ମଧ୍ୟରେ ରକେଟଟି ୮୧.୫ କିମି ଉଚ୍ଚତାରେ ପହଞ୍ଚିଥିଲା। ଏହା ଜରିଆରେ ୮୩କେଜି ବିଶିଷ୍ଟ ୩ଟି ମହାକାଶ ଯାନ ପ୍ରେରଣ କରାଯାଇଛି। ମହାକାଶ ଯାନଗୁଡ଼ିକ ସ୍ପେସ କିଡସ୍ ଇଣ୍ଡିଆ, ବେଜୁମକ୍ୟୁ ଆର୍ମେନିଆ ଏବଂ ଏନ୍-ସ୍ପେସ ଟେକ୍ ଇଣ୍ଡିଆ ଦ୍ବାରା ନିର୍ମାଣ ହୋଇଛି। ସେଥିରେ ସେନସର ରହିଛି। ଆକ୍ସିଲରେସନ, ପ୍ରେସର ଓ ଅନ୍ୟାନ୍ୟ ମାପ ପାଇଁ ଏହି ମହାକାଶଯାନଗୁଡ଼ିକ କାର୍ଯ୍ୟ କରିବ।
ସ୍କାଏରୁଟ୍ର ସୂଚନା ଅନୁଯାୟୀ ବିକ୍ରମ ଏସ୍ ହେଉଛି ସିଙ୍ଗଲ ଷ୍ଟେଜ୍ ସବ୍ ଅର୍ବିଟାଲ ରକେଟ। ଏଥିରେ କଠିନ ଇନ୍ଧନ ବ୍ୟବହାର ହୋଇଛି। କାର୍ବନ କମ୍ପୋଜାଇଟ ଷ୍ଟକଚର, ଥ୍ରିଡି ପ୍ରିଣ୍ଟେଡ ଉପକରଣ ସହିତ କାର୍ବନ କମ୍ପୋଜାଇଟ୍ ଷ୍ଟ୍ରକଚର ସମେତ ଅତ୍ୟାଧୁନିକ ପ୍ରଯୁକ୍ତିରେ ଉକ୍ତ ରକେଟ ନିର୍ମାଣ ହୋଇଛି। ସ୍କାଏରୁଟ୍ ଭାରତର ପ୍ରଥମ ଷ୍ଟାର୍ଟଅପ୍ କମ୍ପାନି ଯିଏକି ମହାକାଶକୁ ରକେଟ ପ୍ରେରଣ ପାଇଁ ଇସ୍ରୋ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଆଜିର ମିସନ ସଫଳ ହୋଇଛି ବୋଲି ଘୋଷଣା କରାଯାଇଛି। ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ୍ ଅଥରାଇଜେସନ ସେଣ୍ଟରର ଅଧ୍ୟକ୍ଷ ପୱନ ଗୋଏଙ୍କା କହିଛନ୍ତି, ସବୁ ବ୍ୟବସ୍ଥା ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିଛି। ଭାରତୀୟ ମହାକାଶ କ୍ଷେତ୍ର ପାଇଁ ଏହା ଏକ ନୂଆ ଆରମ୍ଭ ଏବଂ ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି ସେ କହିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଉକ୍ତ ଉତ୍କ୍ଷେପଣ ଅବସରରେ ଉପସ୍ଥିତ ଥିଲେ। ଭାରତୀୟ ମହାକାଶ ଯାତ୍ରା କାର୍ଯ୍ୟକ୍ରମରେ ଏହା ନୂଆ ଆରମ୍ଭ ବୋଲି ସେ କହିଛନ୍ତି। ଘରୋଇ କମ୍ପାନିଙ୍କୁ ମହାକାଶ କ୍ଷେତ୍ରରେ ସାମିଲ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ସ୍କାଏରୁଟ୍ ଏରୋସ୍ପେସର ସିଇଓ ପୱନ କୁମାର ଚନ୍ଦନା କହିଛନ୍ତି, ଦେଶରେ ଘରୋଇ ଭାବେ ବିକଶିତ ହୋଇଥିବା ପ୍ରଥମ ରକେଟକୁ ଆମେ ମହାକାଶକୁ ପଠାଇ ଇତିହାସ ରଚନା କରିଛୁ। ଭାରତୀୟ ମହାକାଶ ବ୍ୟବସ୍ଥାରେ ଏହା ନୂଆଯୁଗର ଆରମ୍ଭ ବୋଲି ସେ ମତ ଦେଇଛନ୍ତି।