ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ବାରା ଶନିବାର ଦୁଇଟି ଉପଗ୍ରହ ମହାକାଶକୁ ଛଡ଼ାଯାଇଛି। ଏହି ଉପଗ୍ରହଦୁଇଟି ହେଉଛି ସିଙ୍ଗାପୁରର। ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ସହ ଏହି ଉପଗ୍ରହ ଉତ୍‌କ୍ଷେପଣ ନେଇ ସିଙ୍ଗାପୁରର ଚୁକ୍ତି ହୋଇଥିଲା।

Advertisment

ଶନିବାର ଅପରାହ୍ଣ ୨ଟା ୧୯ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକ୍‌ଲ (ପିଏସ୍‌ଏଲ୍‌ଭି) ଦ୍ବାରା ୭୦୦ କିଲୋଗ୍ରାମ୍ ପେ’ଲୋଡ୍‌ବିଶିଷ୍ଟ ଉପଗ୍ରହର ଉତ୍‌କ୍ଷେପଣ କରାଯାଇଥିଲା। ପିଏସ୍‌ଏଲ୍‌ଭି-ସି୫୫ ମିସନ ଦ୍ବାରା ବୃହତ୍ ଉପଗ୍ରହ ସିନ୍ଥେଟିକ୍ ଆପର୍ଚର ରାଡାର ସାଟେଲାଇଟ୍ ଟେଲିଓସ୍-୨ ଓ ସହଯାତ୍ରୀ କ୍ଷୁଦ୍ର ଉପଗ୍ରହ ଲ୍ୟୁମ୍‌ଲାଇଟ୍-୪କୁ ମହାକାଶକୁ ନିଆଯାଇଥିଲା। ଦୁଇଟି ଉପଗ୍ରହର ମୋଟ ଓଜନ ୭୫୭ କିଲୋଗ୍ରାମ୍। ଟେଲିଓସ୍-୨ କକ୍ଷପଥରେ ସ୍ଥାପିତ ହେବା ପରେ ପୃଥିବୀକୁ ବିଭିନ୍ନ ଛବି ଉତ୍ତୋଳନ କରି ପଠାଇବ ଯାହା ସାହାଯ୍ୟରେ ବିଭିନ୍ନ ହଟ୍‌ସ୍ପଟ୍‌କୁ ମନିଟର କରାଯିବା ସହ କୁକୁଡ଼ି ଆଦିର ପରିଚାଳନା କରାଯିବ। କେଉଁଠି ବିମାନ ଦୁର୍ଘଟଣା ଘଟିଲେ ଏହାଦ୍ବାରା ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରାଯିବ ଏବଂ ଉଦ୍ଧାରକାର୍ଯ୍ୟ କରାଯିବ। ଏହାଛଡ଼ା ଏହି ଉପଗ୍ରହ ଦ୍ବାରା ଆହୁରି ଅନେକ କାର୍ଯ୍ୟ ସମ୍ପାଦିତ ହେବ। ଅନ୍ୟପକ୍ଷରେ ଲ୍ୟୁମ୍‌ଲାଇଟ୍-୪ ଦ୍ବାରା ଭିଏଚ୍‌ଏଫ୍‌ ଡାଟା ଏକ୍ସଚେଞ୍ଜ ସିଷ୍ଟମ୍‌ (ଭିଡିଇଏସ୍‌)ର ସୁପରିଚାଳନା କରାଯାଇପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।