ବାଲେଶ୍ୱର/ଧାମରା: ମଙ୍ଗଳବାର ସକାଳ ୯ଟା ୫୦ମିନିଟ୍ ବେଳେ ବଙ୍ଗୋପସାଗର ଉପକୂଳ ଅବଦୁଲ୍ କଲାମ୍ ଦ୍ୱୀପରୁ ଭାରତର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଲଞ୍ଚ୍ପ୍ୟାଡ୍ରୁ ଉତ୍କ୍ଷେପଣ ପରେ ଏହା ନିର୍ଦ୍ଧାରିତ ବେଗ ଓ ଦୂରତାକୁ ଲକ୍ଷ୍ୟଭେଦ କରିଥିଲା। ‘ପ୍ରଳୟ’କୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରିଛି। ଏହା ହେଉଛି ଭାରତର ନୂତନ, ଦ୍ରୁତ, ବିଧ୍ବଂସୀ କ୍ଷେପଣାସ୍ତ୍ର। ଏହାର ଓଜନ ୫ ଟନ୍ ହୋଇଥିବା ବେଳେ ଲକ୍ଷ୍ୟଭେଦ କ୍ଷମତା ୫୦୦ କିଲୋମିଟର।
ଏଥିରେ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ଚୀନ୍ ଓ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ୨୦୧୫ରୁ ‘ପ୍ରଳୟ’ର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୨୨ ଡିସେମ୍ବର ୨୧ ଓ ୨୨ ତାରିଖରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ମୋର୍ଟାର ସେଲ୍ ଭଳି ଏହାକୁ ଭ୍ରାମ୍ୟମାଣ ଲଞ୍ଚର୍ ଓ ଅସ୍ଥାୟୀ ଲଞ୍ଚ୍ପ୍ୟାଡ୍ରୁ ମଧ୍ୟ ଉତ୍କ୍ଷେପଣ କରିହେବ। ପ୍ରତିକୂଳ ପାଣିପାଗ, ପାହାଡ଼ିଆ ଜାଗା ତଥା ସୀମାରେ ଏହି ଓଜନଦାର କ୍ଷେପଣାସ୍ତ୍ର ଶତ୍ରୁ ଦେଶର ଗୁପ୍ତ ସୁଡ଼ଙ୍ଗ, ତୋପ, ସେନା ଶିବିର, ଯୁଦ୍ଧାସ୍ତ୍ର ଡିପୋ ଆଦିକୁ ଆଖି ପିଛୁଳାକେ ଧ୍ବଂସ କରିଦେବାର କ୍ଷମତା ରଖିଛି। ‘ପ୍ରଳୟ’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ସମସ୍ତ ବୈଜ୍ଞାନିକ, ସେନା ଅଧିକାରୀ ଓ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।