ଓଡ଼ିଶା ଉପକୂଳରେ ଭୂପୃଷ୍ଠରୁ ଆକାଶମାର୍ଗକୁ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ଆଜି (୨୩ ଅଗଷ୍ଟ, ୨୦୨୨ରେ) ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା । ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା । ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ କରାଯାଇଛି ।

ପରୀକ୍ଷଣ ସମୟରେ, ଫ୍ଲାଇଟ୍‌ ଡାଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଏବଂ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା। ଏସବୁ ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ସେ କହିଛନ୍ତି ।

ସଫଳ ଫ୍ଲାଇଟ୍‌ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି । ସେ ଆହୁରି କହିଛନ୍ତି ଯେ ସମୁଦ୍ର ଉପରେ ଦୋଳାୟମାନ ଗତିରେ ଆସୁଥିବା ବିପଦ (ସି-ସ୍କିମିଂ ଟାର୍ଗେଟ) ସମେତ ଆକାଶମାର୍ଗରୁ ଆସୁଥିବା ସବୁ ପ୍ରକାର ସ୍ୱଳ୍ପ ଦୂରଗାମୀ ବିପଦକୁ ବିଧ୍ୱଂସ କରିବାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର କ୍ଷମତାକୁ ଅଧିକ ସୁଦୃଢ଼ କରିବ ।

ସମ୍ବନ୍ଧିତ ଖବର