ନୂଆଦିଲ୍ଲୀ: ସୁଦାନରେ ଭାରତୀୟ ନାଗରିକଙ୍କ ନିରାପତ୍ତା ଓ ସୁରକ୍ଷା ନିମନ୍ତେ ଭାରତ ସରକାର ବିଭିନ୍ନ ଦେଶ ସହ ଯୋଗଯୋଗରେ ଅଛନ୍ତି ଓ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ବୁଧବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଚାରିଟି ଦେଶ ଆମେରିକା, ଇଂଲଣ୍ଡ, ସାଉଦି ଆରବ ଓ ୟୁଏଇ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା କରୁଛି କାରଣ ଏ ପ୍ରସଙ୍ଗରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ସାଉଦି ଆରବ ଓ ୟୁଏଇ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି ଯେ ଉଭୟ ଦେଶ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୱାସିଂଟନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ ଲଣ୍ଡନସ୍ଥିତ ଉଚ୍ଚାୟୁକ୍ତ ସମ୍ପୃକ୍ତ ଦେଶର ସରକାରଙ୍କ ସହ ଯୋଗଯୋଗରେ ଅଛନ୍ତି। ଆମେ ଜାତିସଂଘକୁ ମଧ୍ୟ ଅବଗତ କରାଇଛୁ, ଯାହାର ସୁଦାନରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ନୂଆଦିଲ୍ଲୀରେ ଏ ନେଇ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଆରମ୍ଭ କରାଯାଇଛି। ଆମେ ଖାରତୁମ ଦୂତାବାସ ସହ ଯୋଗାଯୋଗରେ ଅଛୁ। ସେଠାରୁ ଭାରତୀୟ ସମୁଦାୟ ବିଷୟରେ ନିୟମିତ ଖବର ପାଉଛୁ। ହ୍ବାଟ୍ସଆପ୍ ଗ୍ରୁପ୍ ସମେତ ବିଭିନ୍ନ ଭାବରେ ଦୂତାବାସ ସୁଦାନରେ ରହୁଥିବା ଭାରତୀୟଙ୍କ ସହ ସମ୍ପର୍କ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଛଅଦିନ ହେଲା ସୁଦାନରେ ଦେଶର ସେନା ଓ ଅର୍ଦ୍ଧସାମରିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ୩ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି।