ନୂଆଦିଲ୍ଲୀ: ସୁଦାନ‌ ସଙ୍କଟ ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ପ୍ରାୟ ୨୦୦୦ ଭାରତୀୟଙ୍କୁ ତିନି ଦିନ ମଧ୍ୟରେ ହିଂସା ପ୍ରବଣ ଅଂଚଳରୁ ଉଦ୍ଧାର କରାଯାଇଛି। ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ଗୁରୁବାର ଆଶ୍ବସ୍ତ କରି କହିଛନ୍ତି ଯେ କୌଣସି ଜଣେ ବି ଭାରତୀୟଙ୍କୁ ହିଂସା ପ୍ରବଣ ସୁଦାନରେ ଛଡ଼ାଯିବନି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। କ୍ବାତ୍ରା ସ୍ବୀକାର କରିଛନ୍ତି ଯେ ସୁଦାନରେ ସ୍ଥିତି ଅତ୍ୟନ୍ତ ଜଟିଳ ଓ ବିପଜ୍ଜନକ ରହିଛି। ସେଠାରେ ଏପ୍ରିଲ ୧୫ ତାରିଖରେ ହିଂସା ଆରମ୍ଭ ହେବା ପରଠାରୁ ଭାରତୀୟ ଦୂତାବାସ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି।

Advertisment

୨୪୬ ଭାରତୀୟ ମୁମ୍ବାଇ ପହଞ୍ଚିଲେ
ସୁଦାନରେ କୌଣସି ଜଣେ ବି ଭାରତୀୟଙ୍କୁ ଛଡ଼ାଯିବନି: ବିଦେଶ ସଚିବ
 ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ

ଭାରତୀୟଙ୍କୁ ସହଯୋଗ କରିବାପାଇଁ ୨୪ ଘଣ୍ଟା ଏହି କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ବିଦେଶ ସଚିବ କହିଛନ୍ତି, ଆମର ଫୋକସ୍‌ ହେଉଛି ଭାରତୀୟମାନଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଏହାପରେ ସେମାନଙ୍କୁ ଘରକୁ ଫେରାଇ ଆଣିବା। ଇତିମଧ୍ୟରେ ଅପରେସନ କାବେରୀ ଅଧୀନରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ସୁଦାନରୁ ଉଦ୍ଧାର ହୋଇଥିବା ୨୪୬ ଭାରତୀୟ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ପ୍ରଥମେ ସେମାନଙ୍କୁ ସୁଦାନରୁ ଉଦ୍ଧାର କରି ଜେଦାହ ନିଆଯାଇଥିଲା। ଜେଦାହରୁ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଆସି ମୁମ୍ବାଇ ପହଞ୍ଚିଛନ୍ତି। ବୁଧବାର ରାତିରେ ୩୬୭ ଭାରତୀୟ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଇତିମଧ୍ୟରେ ପଞ୍ଚମ ବ୍ୟାଚ୍‌ରେ ଆଜି ୨୯୭ ଭାରତୀୟ ପୋର୍ଟ ସୁଦାନରୁ ଆଇଏନଏସ ତେଜ୍‌ରେ ଜେଦାହ ଆସିଛନ୍ତି।