ଚୀନ୍‌ରେ ଅଚାନକ ବନ୍ୟା: ୨୦ ମୃତ, ୧୦ ଲକ୍ଷ ବିସ୍ଥାପିତ

ବେଜିଂ: ଉତ୍ତର ଚୀନ୍‌ର ଶାନ୍‌ଶି ପ୍ରଦେଶରେ ଚଳିତ ମାସ ପ୍ରାରମ୍ଭରେ ପ୍ରବଳ ଅଦିନିଆ ବର୍ଷା ଓ ବନ୍ୟା ହେବା ଫଳରେ ଅନ୍ୟୂନ ୨୦ ଜଣ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି। ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ ଯେଉଁ ଅଞ୍ଚଳ ସାଧାରଣତଃ ଶୁଖିଲା ରହେ ସେଠାରେ ତିନିମାସର ବର୍ଷା ଗୋଟିଏ ସପ୍ତାହରେ ହେବା ଫଳରେ ଜଳାର୍ଣ୍ଣବ ପରିସ୍ଥିତି ହୋଇଛି।

ଦେଶରେ ଶକ୍ତିସଂକଟ ଲାଗି ରହିଥିବା ବେଳେ କୋଇଲା-ସମୃଦ୍ଧ ଅଞ୍ଚଳ‌ ଗତ ଜୁଲାଇ ମାସରେ ବନ୍ୟାରେ ବୁଡ଼ିଯାଇଥିଲା। ଫଳରେ କେନ୍ଦ୍ରୀୟ ହେନାନ ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ଅତି କମ୍‌ରେ ୬୦ଟି କୋଇଲା ଖଣି ଥିବାବେଳେ ଏହା ଦେଶର ସବୁଠୁ ଅଧିକ କୋଇଲା ଉତ୍ପାଦନକାରୀ ପ୍ରଦେଶ। ବନ୍ୟା ଯୋଗୁ କୋଇଲା ଖଣିଗୁଡ଼ିକ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ମାତ୍ର ୪ଟି ଛାଡ଼ି ଅନ୍ୟସବୁ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଛି ବୋଲି ଜରୁରୀ ପରିଚାଳନା ଅଧିକାରୀ ୱାଙ୍ଗ୍ କିରି କହିଛନ୍ତି।

କିରିଙ୍କ କହିବା ଅନୁସାରେ ଚଳିତ ମାସର ବର୍ଷା ଓ ବନ୍ୟା ବିତ୍ପାତ ହେତୁ ପ୍ରାୟ ୧୯୦୦୦ କୋଠା ଭୁଶୁଡ଼ି ପଡ଼ିଛି ଏବଂ ୧୮୦୦୦ କୋଠା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ୨୦ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅନ୍ୟୂନ ୧.୭୫ ନିୟୁତ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ଏବଂ ୧୨୦,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ବିସ୍ଥାପିତ କରାଯାଇଛି। କିରି କହିଛନ୍ତି ଯେ, ଶାନ୍‌ଶିରେ ମାସିକ ହାରାହାରି ଯେତିକି ବର୍ଷା ହୁଏ, ଗୋଟିଏ ସପ୍ତାହରେ ତା’ର ତିନିଗୁଣ ବର୍ଷା ହେବା ଯୋଗୁ ଏଭଳି ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନ ଏହି ବିପର୍ଯ୍ୟୟର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର