କୋଭିଡ ସଂକ୍ରମଣରେ ଅଚାନକ ବୃଦ୍ଧି: ୮ ରାଜ୍ୟରେ ଚିନ୍ତାଜନକ ସ୍ଥିତି, ୧୪ ଜିଲ୍ଲା‌‌ରେ ସାପ୍ତାହିକ ପଜିଟିଭ୍‌ ହାର ୫-୧୦%

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ‌ରେ ଅଚାନକ ବୃଦ୍ଧି ଘଟିଛି। ୮ଟି ରାଜ୍ୟର ୧୪ଟି ଜିଲ୍ଲାରେ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ହୋଇଥିବାରୁ କେନ୍ଦ୍ର ସରକାର ଏହି ରାଜ୍ୟମାନଙ୍କୁ ଚିଠି ଲେଖି ସଂକ୍ରମଣ ନିୟନ୍ତ୍ରଣ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଦିଲ୍ଲୀ, ମୁମ୍ବାଇରେ ସଂକ୍ରମଣ ଲଗାତାର ବଢ଼ୁଛି। ଗୁଡ଼ଗାଓଁ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଅହମଦାବାଦରେ ବି ସଂକ୍ରମଣ ବଢ଼ିଚାଲିଛି। ବୁଧବାର ଦିନ ମୁମ୍ବାଇରେ ୨୫୧୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ପୂର୍ବଦିନ ତୁଳନାରେ ସଂକ୍ରମଣ ମାମଲାରେ ୮୨ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୯୨୩ ମାମଲା ଚିହ୍ନଟ ହୋଇଛି। ପୂର୍ବଦିନ ତୁଳନାରେ ସଂକ୍ରମଣ ମାମଲାରେ ୮୬ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ର ଓମିକ୍ରନ୍‌ ଯୋଗୁଁ ସର୍ବାଧିକ ପ୍ରଭାବିତ। ବେଙ୍ଗାଲୁରୁ ଏବଂ ଅହମଦାବାଦରେ ବି ଓମିକ୍ରନ୍‌ ସଂକ୍ରମଣ ବଢ଼ୁଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର କୋଭିଡ୍‌ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆଜି ସାପ୍ତାହିକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ଦେଶରେ ୨୨ଟି ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ୮ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ ରହିଛି। ଅନ୍ୟପକ୍ଷେ ୧୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ରହିଛି। ଏଥିମଧ୍ୟରୁ କେରଳରେ ୬ଟି ଜିଲ୍ଲା ଥିବାବେଳେ ମିଜୋରାମରେ ୪ଟି, ଅରୁଣାଚଳ ପ୍ରଦେଶ, ଆସାମ, ଝାଡ଼ଖଣ୍ଡ ଏବଂ ମଣିପୁରରେ ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଗତ ସପ୍ତାହରେ ଦେଶରେ ହାରାହାରି ସଂକ୍ରମଣ ୮ ହଜାର ଉପରେ ଥିଲା। ମିଜୋରାମର ୬ ଜିଲ୍ଲା ସମେତ ଅରୁଣାଚଳ ପ୍ରଦେଶର ଗୋଟିଏ ଜିଲ୍ଲା ଏବଂ ପଶ୍ଚିମବଙ୍ଗର କୋଲକାତାରେ ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ ରହିଛି। ସାପ୍ତାହିକ ସଂକ୍ରମଣ ଏବଂ ପଜିଟିଭ୍‌ ହାର ଦୃଷ୍ଟିରୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ ସଂକ୍ରମଣ ଚିନ୍ତା ବଢ଼ାଇଛି। ଦେଶରେ ୯୬୧ ଜଣ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇଛନ୍ତି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ , ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ସକ୍ରିୟ ମାମଲା ଅଧିକ ରହିଛି ।
ଦେଶରେ ଆର୍‌ ଭାଲ୍ୟୁ ୧.୨୨ ରହିଛି ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି। ଆର୍‌ ଭାଲ୍ୟୁ ହେଉଛି ସଂକ୍ରମିତ ଦ୍ବାରା ଅନ୍ୟକୁ ସଂକ୍ରମଣ କିଭଳି ବ୍ୟାପୁଛି। ଆର୍‌ ଭାଲ୍ୟୁ ୧.୨୨ ରହିବାର ଅର୍ଥ ‌ହେଉଛି ୧୦୦ ଜଣ ବ୍ୟକ୍ତି ୧୨୨ ଜଣଙ୍କୁ ସଂକ୍ରମିତ କରିପାରିବେ।

ସମ୍ବନ୍ଧିତ ଖବର