ତିରୁଅନନ୍ତପୁରମ୍: ସୁଦୀପ୍ତ ସେନଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଦେଖାଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏହାକୁ ‘ପ୍ରଚାରସର୍ବସ୍ବ’ ଓ ସଂଘ ପରିବାରର ମିଛ କାରଖାନାର ଉତ୍ପାଦ ବୋଲି କହିଛନ୍ତି। ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରସାରିତ ହେବା ପରେ ସିପିଏମ୍-ଶାସିତ କେରଳରେ ଉତ୍ତେଜନା ଦେଖା ଦେଇଛି। ରାଜ୍ୟର ଭାବମୂର୍ତ୍ତିକୁ ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଓ ଧର୍ମନିରପେକ୍ଷତା ନଷ୍ଟ କରିବା ପାଇଁ ଏହାଦ୍ବାରା ଉଦ୍ୟମ କରାଯାଇଛି ବୋଲି ଉଭୟ ଶାସକ ଓ ବିରୋଧୀ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ମୁଖ୍ୟମନ୍ତ୍ରୀ ବିଜୟନ ରବିବାର କହିଛନ୍ତି ଯେ ସଂଘ ପରିବାରର ପ୍ରଚାର ପାଇଁ ଏହି ଚଳଚ୍ଚିତ୍ର ଉଦ୍ଦିଷ୍ଟ। ଏହି ହିନ୍ଦୀ ଚଳଚ୍ଚିତ୍ରର ଟ୍ରେଲରରେ ଜାଣିଶୁଣି ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ କେରଳ ବିରୋଧରେ ପ୍ରଚାର ପାଇଁ ଉଦ୍ୟମ କରାଯାଇଛି। ଏକ ଧର୍ମନିରପେକ୍ଷ ଭୂମିକୁ ଧାର୍ମିକ ଚରମବାଦର କେନ୍ଦ୍ରସ୍ଥଳରେ ପରିଣତ କରିବାକୁ ଚେଷ୍ଟା କରାଯାଇଛି। ରାଜ୍ୟରେ ନିର୍ବାଚନୀ ଫାଇଦା ଅର୍ଜନ ପାଇଁ ସଂଘ ପରିବାର ମାଧ୍ୟମରେ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ବିଜୟନ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ ‘ଲଭ୍ ଜିହାଦ’ ନେଇ ଯେଉଁ ଅଭିଯୋଗ କରାଯାଇଛି, ତାହାକୁ ତଦନ୍ତକାରୀ ଏଜେନ୍ସି, କୋର୍ଟ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ, ଯେ କି ଏବେ ବି କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ସେ ପାର୍ଲାମେଣ୍ଟରେ କହିଥିଲେ ଯେ ‘ଲଭ୍ ଜିହାଦ’ ବୋଲି କିଛି ନାହିଁ। ମିଥ୍ୟା କାହାଣୀ ଓ ଚଳଚ୍ଚିତ୍ର ମାଧ୍ୟମରେ ସଂଘ ପରିବାର ବିଭାଜନ ରାଜନୀତି କରୁଥିବା ବିଜୟନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିନା ତଥ୍ୟ ଓ ପ୍ରମାଣରେ ସଂଘ ପରିବାର ମିଥ୍ୟାର ପ୍ରସାର କରୁଛି। କେରଳରେ ୩୨,୦୦୦ ମହିଳାଙ୍କୁ ଇସଲାମ ଧର୍ମକୁ ଧର୍ମାନ୍ତରିତ କରାଯାଇଛି ଓ ସେମାନେ ଇସଲାମିକ୍ ଷ୍ଟେଟ୍ରେ ଯୋଗ ଦେଇଛନ୍ତି ବୋଲି ଆମେ ଟ୍ରେଲରରେ ଦେଖିଲୁ। ଏହା ସମ୍ପୂର୍ଣ୍ଣ ମିଛ ଏବଂ ସଂଘ ପରିବାରର ମିଛ କାରଖାନାର ଉତ୍ପାଦ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ କରିବା ପାଇଁ ସରକାରଙ୍କ ଆଗରେ କଂଗ୍ରେସ ଦାବି କରିଛି।
ନିର୍ମାତାମାନଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ସେନସର ବୋର୍ଡର ଅନୁମୋଦନକୁ ଅପେକ୍ଷା କରିଛନ୍ତି। ପ୍ରଡ୍ୟୁସର, କ୍ରିଏଟିଭ୍ ଡାଇରେକ୍ଟର ତଥା ସହଲେଖକ ବିପୁଲ ଅମୃତଲାଲ ଶାହଙ୍କ ଦ୍ବାରା ପ୍ରତିଷ୍ଠିତ ସନସାଇନ ପିକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ସମର୍ଥିତ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ମୁଖ୍ୟ ଚରିତ୍ରରେ ଅଦାହ ଶର୍ମା ଅଭିନୟ କରୁଛନ୍ତି।