ସୁଧା ମୂର୍ତ୍ତି ସୋସିଆଲ ମିଡିଆ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ : ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତିଙ୍କ ପତ୍ନୀ ତଥା ଦେଶର ବିଶିଷ୍ଟ ବଦାନ୍ୟ ମହିଳା ଭାବେ ପରିଚିତ ସୁଧା ମୂର୍ତ୍ତିଙ୍କୁ ସୋସିଆଲ ମିଡିଆ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ନିଜ ସାଧାରଣ ଜୀବନଶୈଳୀ ପାଇଁ ପରିଚିତ ସୁଧା ସୋନି ଟିଭିରେ ପ୍ରସାରିତ କମେଡି ସୋ’ ‘ଦି କପିଲ ଶର୍ମା ସୋ’ରେ ଯୋଗ ଦେଇ ଜୀବନର କିଛି ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ହୋଇଥିଲେ ମଧ୍ୟ ବ୍ରିଟେନ୍‌ରେ ତାଙ୍କୁ ଇମିଗ୍ରେସନ ଅଧିକାରୀ କେଉଁ ଆଡ଼େ ଯିବ ବୋଲି ପଚାରିଥିଲେ ଓ ସେ ପ୍ରଧାନମନ୍ତ୍ରୀଙ୍କ ଠିକଣା ‘୧୦ ଡାଉନିଂ ଷ୍ଟ୍ରିଟ’ ବୋଲି ଜଣାଇବା ପରେ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା କହିଥିଲେ।

ଏହି ସୋ’ରେ ସେ କହିଥିବା କିଛି କଥାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବ୍ୟଙ୍ଗ କରାଯାଇଛି। ‌ଲୋକମାନେ ଭିନ୍ନ ଭିନ୍ନ ଲେଖା ଓ ମିମ୍‌ ସେୟାର କରି ତାଙ୍କୁ କଟାକ୍ଷ କରିଛନ୍ତି। ଅତି ସରଳ ବୋଲି ଦେଖାଇ ହେବା ପାଇଁ ସେ ଏଭଳି କଥା କହୁଥିବା କିଛି ଲୋକ କହିଛନ୍ତି। ତେବେ ବହୁ ଲୋକ ତାଙ୍କ ସମର୍ଥନରେ ବି ଲେଖା ପୋଷ୍ଟ୍‌ କରିଥିଲେ। କାହିଁକି ଅଯଥାରେ ତାଙ୍କୁ ଟ୍ରୋଲ୍ କରାଯାଉଛି ବୋଲି ଜଣେ ଲେଖିଥିଲେ। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସେ ଘୃଣାର ପାତ୍ର ନୁହନ୍ତି। ତାଙ୍କ କଂପାନି ହେଉଛି ଦେଶର ଦ୍ବିତୀୟ ବୃହତ ନିଯୁକ୍ତି ପ୍ରଦାନକାରୀ। ଯଦି ତାଙ୍କୁ ସମ୍ମାନ ଦେଇପାରୁନ, ଅନ୍ତତଃ ଟ୍ରୋଲ୍‌ ବି କରନି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ କିଛି ଲୋକ ଜାଣିଶୁଣି ସୁଧାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର