ଖଲିସ୍ତାନୀ ଗୋଷ୍ଠୀଙ୍କ ଟାର୍ଗେଟରେ ଥିଲେ ସୁଧୀର !

ଅମୃତସର : ଶୁକ୍ରବାରଦିନ ଆତତାୟୀ ଗୁଳିରେ ମୃତ୍ୟୁବରଣ କରିଥିବା ଶିବସେନା ନେତା ସୁଧୀର ସୁରି ଖଲିସ୍ତାନୀ ଗୋଷ୍ଠୀଙ୍କ ଟାର୍ଗେଟରେ ଥିଲେ । ଖଲିସ୍ତାନୀ ଗୋଷ୍ଠୀଙ୍କ ପକ୍ଷରୁ ତାଙ୍କ ଜୀବନ ଉପରେ ବିପଦ ଅଛି ବୋଲି ସୁଧୀର ନିଜେ ପୂର୍ବରୁ ବାରମ୍ବାର ସତର୍କ କରାଇଦେଇଥିଲେ । ତାଙ୍କୁ ପୁଲିସ ସୁରକ୍ଷା ମଧ୍ୟ ଦିଆଯାଇଥିଲା ।

ଗୁଇନ୍ଦା ସୁତ୍ରରୁ ଜଣାପଡ଼ିଛି ଯେ, ଖଲିସ୍ତାନୀ ଗୋଷ୍ଠୀ ତାଙ୍କୁ ଫୋନ କରି ହତ୍ୟା ଧମକ ଦେଇଥିଲେ । ଏହା ପରେ ୨୦ ଜଣିଆ ପୋଲିସ ଟିମ ତାଙ୍କୁ ସୁରକ୍ଷା ଦେଉଥିଲେ । କିନ୍ତୁ ଶୁକ୍ରବାରଦିନ ପୁଲିସ ସୁରକ୍ଷା ଭିତରେ ଥିଲେ ବି ତାଙ୍କ ଉପରକୁ ୫ଟି ଗୁଳି ଚଳାଇ ହତ୍ୟା କରିବାକୁ ସକ୍ଷମ ହୋଇଥିଲା ଆତତାୟୀ ।

ଦୁଇ ଜଣ ବ୍ୟକ୍ତି କାରରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବାବେଳେ ଆଉ ଜଣେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଯାଇଥିଲା ।

କିଛି ଦିନ ପୂର୍ବେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ପଂଜାବରେ ଆପ୍ ସରକାର ଆସିବା ପରେ କାନାଡା-ଭିତ୍ତିକ ଖଲିସ୍ତାନୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢିଯାଇଛି ।

ଦୁଇଦିନ ତଳେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ପଂଜାବ ପୁଲିସକୁ ସତର୍କ କରାଇଦେଇଥିଲେ ଯେ ସୁରିଙ୍କୁ ହତ୍ୟା କରିବାକୁ ଆଇଏସଆଇ ପକ୍ଷରୁ ଲାହୋରର ଖଲିସ୍ତାନୀ ଗୋଷ୍ଠୀ ରନ୍ଧାଓ୍ବା ନିତା ଗ୍ୟାଙ୍ଗକୁ ସୁପାରି ଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର