ପୁଣି ଜାମ୍ ହେଲା ସୁଏଜ୍ କେନାଲ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଲା ସାଉଦି ଜାହାଜ

କାଇରୋ : ଅଗଷ୍ଟ ୩୧ ରାତିରେ ପୁଣି କିଛି ଘଣ୍ଟା ପାଇଁ ଅଟକି ଯାଇଥିଲା ସୁଏଜ୍ କେନାଲ । ସାଉଦି ଆରବର ଏକ ତୈଳ ଟ୍ୟାଙ୍କର ଆଫନିଟି-୫ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ଅଟକି ଯାଇଥିଲା । ପ୍ରାୟ ୪-୫ ଘଣ୍ଟା ଅଟକିବା ପରେ ଇଂଜିନିୟର ଓ ବିଶେଷଜ୍ଞମାନଙ୍କ ଉଦ୍ୟମ ଯୋଗୁଁ ତାହାକୁ ବାହାର କରାଯାଇଥିଲା । ପ୍ରାୟ ୨୫୦ ମିଟର ଲମ୍ବ ଏହି ଜାହାଜ ପର୍ତ୍ତୃଗାଲରୁ ସାଉଦି ଆରବ ଯାଉଥିଲା । ସୁଏଜ କେନାଲ ଅଥରିଟିର ସୂଚନା ଅନୁସାରେ ଟଗବୋଟ୍ ସହାୟତାରେ ଏହି ଜାହାଜକୁ ପୁଣି ସଳଖ କରାଯାଇଥିଲା ।

ଏହା ପରେ ଜାହାଜ ଚଳାଚଳ ସ୍ବାଭାବିକ ହୋଇଛି । ତେବେ ଏହି ଜାହାଜ ଅଟକିବା ଯୋଗୁଁ ଏହି ବ୍ୟସ୍ତବହୁଳ ରୁଟରେ ପ୍ରାୟ ୬-୭ ଘଣ୍ଟା ପାଇଁ ଜାହାଜ ଚଳାଚଳ ବ୍ୟାହତ ହୋଇଥିଲା । ଏହି ଘଟଣା ଗତ ବର୍ଷ ହୋଇଥିବା ଏଭରଗିଭିନ ମାଲବାହୀ ଜାହାଜ ଅଟକିବା ଘଟଣା ସ୍ମରଣ କରାଇଦେଇଛି ।

ଗତ ବର୍ଷ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ମାଲବାହୀ ଜାହାଜ ଏଭର ଗିଭିନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲ ସଂକଟ ଆରମ୍ଭ ହୋଇଥିଲା । କେନାଲର ଉଭୟ ପଟେ ଶହ ଶହ ଜାହାଜ ଅଟକି ରହିଥିଲେ । ଏହା ଫଳରେ ବିଶ୍ବ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପଥ ପ୍ରଭାବିତ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏଭରଗିଭିନ ଯେଉଁସ୍ଥାନରେ ଅଟକି ଥିଲା, ସେହି ସ୍ଥାନରେ ଆଫିନିଟି ଅଟକି ଯାଇଥିଲା ।

ସମ୍ବନ୍ଧିତ ଖବର