ଆପଣ ଖାଉଥିବା ମହୁରେ ମିଶୁଛି ଚୀନରୁ ଆସୁଥିବା ସୁଗାର ସିରପ!

ନୂଆଦିଲ୍ଲୀ: ମହୁରେ ଥିବା ଔଷଧୀୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ | ତେବେ ଆପଣ ଜାଣିଛନ୍ତି କି ବଜାରରେ ମିଳୁଥିବା ମହୁ କେତେ ଶୁଦ୍ଧ | ଦାମୀ ଓ ଜଣାଶୁଣା ବ୍ରାଣ୍ଡ ଦେଖି କିଣୁଥିବା ମହୁ କେତେ ଶୁଦ୍ଧ କେବେ ଭାବିଛନ୍ତି କି? ଆଜି ଆମେ ଆପଣଙ୍କୁ ଏକ ରିପୋର୍ଟ ବାବଦରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ | କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ ସେଣ୍ଟର ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଦେଶର ଅନେକ ବଡ ବଡ ବ୍ରାଣ୍ଡ ପ୍ରସ୍ତୁତ କରୁଥିବା ମହୁରେ ଅପମିଶ୍ରଣ କରାଯାଉଛି | ଏହି କମ୍ପାନୀଗୁଡିକ ମହୁରେ ଚୀନରୁ ଆସୁଥିବା ଚିନି ସିରପ ବା ସୁଗାର ସିରପକୁ ମହୁରେ ମିଶାଇ ବିକ୍ରି କରୁଛନ୍ତି |

କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ ସେଣ୍ଟରର ଅନୁସନ୍ଧାନରେ ଡାବର, ପତଞ୍ଜଳି, ବୈଦ୍ୟନାଥ ଏବଂ ଯଂଡୁ ଭଳି ଅନେକ ପ୍ରମୁଖ ବ୍ରାଣ୍ଡ ବିଫଳ ହୋଇଥିବାବେଳେ କେବଳ ୩ଟି ବ୍ରାଣ୍ଡ ସଫୋଲା, ମାର୍କଫେଡ ସୋହନା ଏବଂ ନ୍ୟାଚୁର ନେକଟାର ଦ୍ୱାରା ପ୍ରସ୍ତୁତ ମହୁ ଶୁଦ୍ଧ ବୋଲି ଜଣାପଡିଛି | ତେବେ ଏହି ଅନୁସନ୍ଧାନକୁ ନେଇ ଡାବର ଏବଂ ପତଞ୍ଜଳି ପ୍ରଶ୍ନ ଉଠାଇଛନ୍ତି | ସେମାନେ କହିଛନ୍ତି ଯେ ଏହି ଅନୁସନ୍ଧାନ ଏକ ସୁଚିନ୍ତିତ ଷଡଯନ୍ତ୍ର ଓ ବ୍ରାଣ୍ଡର ଭାବମୂର୍ତ୍ତିକୁ ଖରାପ କରିବା ଏହାର ଉଦ୍ଦେଶ୍ୟ ରହିଛି | ଏହି କମ୍ପାନୀଗୁଡିକ ଦାବି କରିଛନ୍ତି ଯେ ସେମାନେ ଭାରତରେ ପ୍ରାକୃତିକ ଭାବରେ ମହୁ ସଂଗ୍ରହ କରନ୍ତି ଏବଂ ବିକ୍ରୟ କରନ୍ତି |

ସୁଗାର ସିରପ କ’ଣ?
ଚିନି ଏବଂ ପାଣିକୁ ତରଳାଇ ସୁଗାର ସିରପ ତିଆରି ହୁଏ | ଯାହା ସାଧାରଣତଃ ପାନୀୟରେ ମିଠା ଭାବରେ ବ୍ୟବହୃତ ହୁଏ | ଗରମ ପାଣିରେ ଚିନି ମିଶାଇ ଏହାକୁ ତିଆରି କରାଯାଏ ଓ ଥଣ୍ଡା ହେବା ପରେ ବ୍ୟବହାର କରାଯାଏ | ସାଧାରଣ ଚିନି ସିରପ୍ ପାଇଁ ଚିନି ଏବଂ ପାଣିର ଅନୁପାତ ୧: ୧ ରଖାଯାଏ, କିନ୍ତୁ ଏହାକୁ ମୋଟା କରିବା ପାଇଁ ପାଣିରେ ଥିବା ଚିନି ପରିମାଣ ବଢ଼ାଯାଏ | କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ ସେଣ୍ଟର କହିଛି ଯେ ଏହି ସୁଗାର ସିରପଗୁଡିକ ଚୀନ କମ୍ପାନୀଗୁଡିକରୁ ବହୁ ପରିମାଣରେ ଆମଦାନୀ ହେଉଛି ଓ ମହୁରେ ବ୍ୟବହାର ହେଉଛି |

ସମ୍ବନ୍ଧିତ ଖବର