ସାନ ଝିଅକୁ ଦେଖାଇ ବଡ଼ ଝିଅ ସହ କରିଦେଲେ ବିବାହ, ସତ ଜାଣି ଉଡିଲା ବରର ହୋସ୍

ନୂଆଦିଲ୍ଲୀ: ବିବାହ ଠିକ ହେବା ପରେ ଦୁଇ ପରିବାର ବିବାହର ଶୁଭ ସମୟ ଦେଖିଲେ। ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଲା ବର। ରାତିର ଅନ୍ଧକାରରେ ସାତ୍ ଫେରା ହେଲା। ମଣ୍ଡପରେ ମନ୍ତ୍ର ଜପ କରି ବର ଏବଂ କନ୍ୟା ୭ ଜନ୍ମ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା କଲେ। ଏହା ପରେ ଝିଅ ବିଦା ହୋଇ ଶାଶୁ ଘରକୁ ଗଲା। ହେଲେ ପରଦିନ ସକାଳେ ଯାହା ଘଟିଲା, ତାହା ବିବାହର ଖୁସିକୁ ଧୂଳିସାତ କରିଦେଲା। ଯାହା ସହିତ ପୁଅର ବିବାହ କରିବାକୁ ପରିବାର ରାଜି ହୋଇଥିଲେ ପ୍ରକୃତର ତା’ର ବଡ଼ ଭଉଣୀ ସହ ବିବାହ ହୋଇଥିବା ଜାଣି ବରପକ୍ଷଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ସୂଚନା ମୁତାବକ, ବିବାହ ଜାନୁଆରି ୨୬ରେ ହୋଇଥିଲା। ବିବାହ ସମୟରେ ସାନ ଝିଅ ସ୍ଥାନରେ ବଡ଼ ଝିଅକୁ ବସାଇ ତା’ର ମୁହଁକୁ ଓଢ଼ଣାରେ ଘୋଡାଇ ଦେଇଥିଲେ କନ୍ୟା ପକ୍ଷ। ବଡ଼ ଝିଅର ବିବାହ ହେଉନଥିବାରୁ ସେମାନେ ଏଭଳି କରିଥିବା ଜଣାପଡ଼ିଛି। ତେବେ ବିବାହ ଚାଲିଥିବା ବେଳେ ବି କନ୍ୟାପକ୍ଷ କନ୍ୟାର ମୁହଁ ଦେଖାଇନଥିଲେ। ଗାଁରେ ବିବାହ ବେଦୀରେ ଝିଅର ମୁହଁ ଦେଖନ୍ତି ନାହିଁ ବୋଲି କହି କନ୍ୟାପକ୍ଷ ଓଢ଼ଣା ଟେକିବାକୁ ମନା କରିଥିଲେ। ଏଥିରେ ବରପକ୍ଷ ରାଜି ହେବାରୁ ବିବାହ ରୀତିନୀତି ଆଗକୁ ବଢ଼ିଥିଲା। ହେଲେ କନ୍ୟାପକ୍ଷ ଏଭଳି ଧୋକା ଦେବେ ବୋଲି ବର ପକ୍ଷ ଆଦୌ ଚିନ୍ତା ବି କରିନଥିଲେ। କନ୍ୟାପକ୍ଷ ସାନଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅ ସହ ବିବାହ କରାଇଦେଇଥିଲେ।

ଏହି ଘଟଣା ପରେ ବର ପୁଲିସ ନିକଟରେ ଅଭିଯୋଗ ଦାଖଲ କରି କହିଛି ଯେ ଯଦି ମୋତେ ନ୍ୟାୟ ନମିଳେ ତେବେ ଆତ୍ମହତ୍ୟା କରିବି। ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର