ଇସଲାମାବାଦ: ପାକିସ୍ତାନରେ ଆଜି ଏକ ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ସାଧାରଣ ନାଗରିକଙ୍କ ସମେତ  ୨୯ ଜଣ ଆହତ ହୋଇଛନ୍ତି।  ପାକିସ୍ତାନୀ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।  ମିଳିଥିବା ସୂଚନାନୁଯାୟୀ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ଏକ ସେନା ଟ୍ରକ୍‌ ଉପରକୁ ମଡ଼ାଇ ଦେବା ଫଳରେ ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣରେ ୧୬ ଜଣ ପାକ୍‌ ସୈନିକ ନିହତ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିବା ବେଳେ ୧୦ ଜଣ ସୈନିକ  ଓ ୧୯ ଜଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।  ବିସ୍ଫୋରଣ ଯୋଗୁଁ ୨ଟି ଘରର ଛାତ ଭୁଶୁଡ଼ି ପଡ଼ିବାରୁ  ୬ ଜଣ ଶିଶୁ ଆହତ ହୋଇଛନ୍ତି।  ଆହତ ସୈନିକଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି । ପାକିସ୍ତାନ ତାଲିବାନର ଏକ ସଶସ୍ତ୍ର ଗୋଷ୍ଠୀ ‘ହାଫିଜ ଗୁଲ୍‌ ବାହାଦୁର’ର ଆ‌ତ୍ମଘାତୀ ଆକ୍ରମଣକାରୀ ଏହି ବିସ୍ଫୋରଣ ଘଟାଇଥିବା ଦାବି ହୋଇଛି।  
ଉଲ୍ଲେଖଯୋଗ୍ୟ,  ପାକିସ୍ତାନରେ ନିକ‌ଟରେ ହିଂସା ବଢ଼ିବାରେ ଲାଗିଛି।  ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନ ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହିଂସା ବୃଦ୍ଧି ପାଇଛି। ଚଳିତ ବର୍ଷ ଆରମ୍ଭରୁ ଏଯାବତ ଉଭୟ ଖାଇବର ପଖ୍‌ତୁନ୍‌ଖ୍ବା ଏବଂ ବ‌ଲୁଚିସ୍ତାନରେ ଆକ୍ରମଣ ଯୋଗୁଁ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହେଲାଣି।