ବେକାରି, ଋଣବୋଝ ନେଉଛି ଜୀବନ: ୩ ବର୍ଷରେ ୨୫ ହଜାର ଆତ୍ମହତ୍ୟା

ନୂଆଦିଲ୍ଲୀ : ବେକାରି, ଦେବାଳିଆ ଓ ଋଣରେ ବୁଡ଼ିରହିବା ଭଳି ଚାପରୁ ମୁକ୍ତି ପାଇବା ଲାଗି ଦେଶରେ ଲୋକମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୧୮-୨୦୨୦ ମଧ୍ୟରେ ଏହି କାରଣଗୁଡ଼ିକ ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଆଜି ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ ବେକାରି ଓ ଋଣ ସମସ୍ୟା ପାଇଁ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ୨୦୧୮ରେ ଏହି ସବୁ କାରଣ ଲାଗି ୭,୭୧୧ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୦ରେ ସେଭଳି ଆତ୍ମହତ୍ୟା ସଂଖ୍ୟା ୮,୭୬୧କୁ ବୃଦ୍ଧି ପାଇଛି। ଏହି ସମୟ ଭିତରେ ପ୍ରାୟ ୧୬,୦୯୧ ଜଣ ଦେବାଳିଆ ହୋଇଯିବା କାରଣରୁ ଆତ୍ମହତ୍ୟା କରିଛନ୍ତି।

୨୦୧୮-୨୦୨୦ ମଧ୍ୟରେ ବେକାରି ସମସ୍ୟା ଯୋଗୁଁ ୯,୧୪୦ ଜଣ ପ୍ରାଣ ହରାଇଛନ୍ତି। ୨୦୧୮ରେ ଏହି କାରଣ ପାଇଁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୨,୭୪୧ ଥିଲା। ୨୦୧୯ରେ ତାହା ୨,୮୫୧ ଓ ୨୦୨୦ରେ ୩,୫୪୮କୁ ବୃଦ୍ଧି ପାଇଥିଲା। ୨୦୨୦ରେ ଦେବାଳିଆ ଓ ଋଣବୋଝ ଯୋଗୁଁ ୫,୨୧୩ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୮ରେ ସେହି ସମାନ କାରଣ ଯୋଗୁଁ ୪,୯୭୦ ଓ ୨୦୨୦ରେ ୫୯୦୮ ଜଣ ଆତ୍ମହତ୍ୟା କରିଥିଲେ।

ମନ୍ତ୍ରୀ କହିଛନ୍ତି ଯେ ମାନସିକ ସ୍ତରରେ ଚାପଗ୍ରସ୍ତ ଥିବା ଲୋକମାନଙ୍କ ପାଇଁ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ୬୯୨ଟି ଜିଲ୍ଲାରେ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଲାଗୁ କରାଯାଇଛି ଯେଉଁଥିରେ ଆତ୍ମହତ୍ୟା ରୋକିବା ଲାଗି ପରାମର୍ଶ ଦିଆଯାଉଛି। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅର୍ଥନୀତିର ପ୍ରମୁଖ କ୍ଷେତ୍ର ଲାଗି ଯେଉଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ଘୋଷଣା କରାଯାଇଛି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ୨୦୨୦ରେ ସରକାର ସଂସଦରେ କହିଥିଲେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ। ତେଣୁ କ୍ଷତିପୂରଣର ପ୍ରଶ୍ନ ଉଠୁନାହିଁ। ତେବେ ଗୃହ ମନ୍ତ୍ରାଳୟ ଏହା ସ୍ବୀକାର କରିଛନ୍ତି ଯେ ଦେଶରେ ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା ହେବାପରେ ଦେଶରେ ବିଭିନ୍ନ ସ୍ଥାନରୁ ୧ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରିଛନ୍ତି। ଆଜି ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ବିଷ ପିଇ ଫେସବୁକ୍‌ରେ ଲାଇଭ୍‌ ଭିଡିଓ କରିବା ସହ ଆର୍ଥିକ କ୍ଷତିକୁ ଏଥିପାଇଁ ଦାୟୀ କରିଛନ୍ତି। ଏହିଦିନ ସରକାର ରାଜ୍ୟସଭାରେ ଆତ୍ମହତ୍ୟା ସଂକ୍ରାନ୍ତ ତଥ୍ୟ ରଖିଛନ୍ତି। ସରକାର ନିଯୁକ୍ତି ଓ କର୍ମନିଯୁକ୍ତି ନେଇ ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି ଏହି ତଥ୍ୟ ତାହାର ମୁଖା ଖୋଲିଦେଇଛି ବୋଲି ବିରୋଧୀ ଦଳଗୁଡ଼ିକ ଆଜି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର