୮ ବର୍ଷରେ ବିଦେଶରେ ଆତ୍ମହତ୍ୟା କଲେଣି ୪୦୦୦ ଭାରତୀୟ

ନୂଆଦିଲ୍ଲୀ: ପାଠପଢିବା ହେଉ କି ଚାକିରି ପାଇଁ ଭାରତରୁ ବହୁ ସଂଖ୍ୟକ ଲୋକ ବିଦେଶ ଯାଇଥାନ୍ତି | ତେବେ ବିଦେଶ ଯାଇଥିବା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ମଧ୍ୟ ବୃଦ୍ଧି ପାଇଛି। ଚାକିରି ପାଇଁ ବିଦେଶ ଯାଇଥିବା ୪୦୦୦ ରୁ ଅଧିକ ଭାରତୀୟ ଗତ ୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କିଛି ଏଭଳି ସଙ୍ଗୀନ ତଥ୍ୟ ଏବେ ସାମ୍ନାକୁ ଆସିଛି | ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ପରଠାରୁ ଅନ୍ୟ ଦେଶରେ ଭାରତୀୟଙ୍କ ଆତ୍ମହତ୍ୟା ମାମଲା ୪୦୦୫ ରହିଛି |

ଅଧିକାଂଶ ଭାରତୀୟ ଗଲ୍ଫ ଦେଶକୁ ଚାକିରି ପାଇଁ ଯାଉଥିଲେ ବି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗଲ୍ଫ ଦେଶରେ ସର୍ବାଧିକ ଆତ୍ମହତ୍ୟା ଘଟିଛି। ପରିସଂଖ୍ୟାନ ଅନୁଯାୟୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ସର୍ବାଧିକ ଆତ୍ମହତ୍ୟା ରିପୋର୍ଟ ହୋଇଛି। ମିଳିଥିବା ସୂଚନା ମୁତାବକ ସଂଯୁକ୍ତ ଆରବ ଏମିରେଟ୍ସରେ ୧୧୨୨ଜଣ, ସାଉଦି ଆରବରେ ୧୦୨୪ଜଣ, କୁଏତରେ ୪୨୫ ଜଣ, ଓମାନରେ ୩୫୧ଜଣ, ମାଲେସିଆରେ ୨୫୪ ଜଣ, ବାହାରିନରେ ୧୮୦ ଜଣ, କାତାରରେ ୧୬୫ ଜଣ, ସିଙ୍ଗାପୁରରେ ୧୫୯ଜଣ ଆତ୍ମହତ୍ୟା କରିଛନ୍ତି |

ସେହିପରି ଇଟାଲୀରେ ୬୫ ଜଣ, ଅଷ୍ଟ୍ରେଲିଆରେ ୩୩ ଜଣ, କାନାଡାରେ ୩୦ଜଣ, ଆମେରିକାରେ ୧୯ ଜଣ, ଫିଲିପାଇନ୍ସରେ ୧୫ ଜଣ, ନାଇଜେରିଆରେ ୧୨ ଜଣ, ଶ୍ରୀଲଙ୍କାରେ ୧୧ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି | ତେବେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ବିଦେଶ ମନ୍ତ୍ରାଳୟ କହିଛି ଯେ ବିଶେଷକରି ଭାରତୀୟମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ପାଇଁ ଭାରତୀୟ ଦୂତାବାସର ଅଧିକାରୀମାନେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି |

 

ସମ୍ବନ୍ଧିତ ଖବର