ଚଣ୍ଡୀଗଡ଼: ଚାଷ କ୍ଷେତ୍ରରେ ଉନ୍ନତ ରାଜ୍ୟଭାବେ ପରିଗଣିତ ପଞ୍ଜାବ ଓ ହରିୟାଣା ଆତ୍ମହତ୍ୟାରେ ମଧ୍ୟ ପଛରେ ନାହିଁ। ଫାଶୀ ଦେଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଦେଶରେ ସର୍ବ‌ାଧିକ ହୋଇଥିବା ବେଳେ ଏହି ରାଜ୍ୟରେ ବିଷ ପିଇ ଆତ୍ମହତ୍ୟା କରିବା ଏକ ସାଧାରଣ ଘଟଣା। କାରଣ ଚାଷରେ ରୋଗପୋକ ଦମନ ପାଇଁ ଚାଷୀମାନେ କୀଟନାଶକ ଆଣି ଘରେ ରଖୁଥିବାରୁ ଏବଂ ଦୋକାନବଜାର ସର୍ବତ୍ର ଏହା ସହଜରେ ଉପଲବ୍ଧ ହେଉଥିବାରୁ ଏହି ଅଞ୍ଚଳରେ ବିଷପାନ ଜନିତ ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅଧ୍ୟୟନ ଅନୁଯାୟୀ, କୀଟନାଶକ ଏହି ଅଞ୍ଚଳରେ ଆତ୍ମହତ୍ୟାଜନିତ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଉଭା ହୋଇଛି। ବିଶେଷତଃ ବେରୋଜଗାର ବ୍ୟକ୍ତି, ପାରିବାରିକ ଅଶାନ୍ତିରେ ପୀଡ଼ିତା ଗୃହିଣୀ ଏବଂ ମାନସିକ ଚାପଗ୍ରସ୍ତ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଲିଙ୍ଗ ଭିତ୍ତିରେ ଏହି ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନଙ୍କ ମଧ୍ୟରେ ବିଷପାନର ମାତ୍ରା ସାମାନ୍ୟ ଅଧିକ ରହିଛି, ଯାହା ଏହି ଅଞ୍ଚଳରେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆହ୍ୱାନ ବିଷୟରେ ଚିନ୍ତା ବଢାଇଦେଇଛି।

Advertisment

ବର୍ତ୍ତମାନର ଅଧ୍ୟୟନରେ ବିଷ ପିଉଥିବା ମହିଳାଙ୍କ ସଂଖ୍ୟା (୫୧.୬%) ପୁରୁଷଙ୍କଠାରୁ ସାମାନ୍ୟ ଅଧିକ (୪୮.୪%) ରହିଛି। ବୃତ୍ତିଗତ କାର୍ଯ୍ୟକଳାପ ଏବଂ ନିଷ୍ପତ୍ତି ନେବାରେ ମହିଳାଙ୍କ ଭୂମିକା ବଢ଼ୁଥିବାରୁ ସେମାନେ ଅଧିକ ମାନସିକ ଚାପଗ୍ରସ୍ତ ହେଉଥିବା ଏଥିରୁ ଜଣାପଡ଼ିଛି। ବର୍ତ୍ତମାନର ଅଧ୍ୟୟନରେ ବିଷ ପିଇବାର ମୁଖ୍ୟ କାରଣ ଥିଲା ପାରିବାରିକ ବିବାଦ (୩୭%) ଯାହା ଖରାପ ଆର୍ଥିକ ସ୍ଥିତି, ବୈବାହିକ ସମ୍ପର୍କ, ବୈବାହିକ ଅଶାନ୍ତି, ପାଠପଢ଼ାରେ ଖରାପ ପ୍ରଦର୍ଶନ କାରଣରୁ ପିତାମାତା କିମ୍ବା ଶିକ୍ଷକଙ୍କ ଦ୍ୱାରା ଗାଳି ଶୁଣିବା, ଫୋନ୍ କିଣିବା ଭଳି ପିଲାଙ୍କ ଦାବି ପୂରଣ କରିବାକୁ ପିତାମାତାଙ୍କ ଅସମର୍ଥତା, ପ୍ରେମ ସମ୍ପର୍କରେ ଫାଟ ବା ବ୍ରେକ୍ଅପ୍, ବିପରୀତ ଲିଙ୍ଗରୁ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଇତ୍ୟାଦି ସହ ଜଡ଼ିତ। ତା’ ତଳକୁ ଅଧିକାଂଶ ପୀଡ଼ିତ ବେରୋଜଗାର (୨୨.୬%) ଥିଲେ। ଏହା ପଛକୁ ଗୃହିଣୀ (୧୯.୪%), ଛାତ୍ର ଓ ଶ୍ରମିକ (୧୭.୭%) ରହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୯୦.୩% ରୋଗୀ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବିଷ ପିଇଥିଲେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ଦିଗକୁ ସୂଚାଇଥାଏ। କୀଟନାଶକ ଆତ୍ମହତ୍ୟା ମୃତ୍ୟୁର ପ୍ରମୁଖ କାରଣ ଭାବରେ ଉଭା ହୋଇଛି, ଯାହା କି ସମସ୍ତ ବିଷପାନ ମାମଲାର ୬୧% ଅଟେ। ଅଧିକାଂଶ କୀଟନାଶକ ବିଷ (୫୪.୮%) ପିଇଥିଲେ। ସମସ୍ତ କୀଟନାଶକ ମଧ୍ୟରୁ ଅର୍ଗାନୋଫସ୍‌ଫରସ୍ (ଓପିସି) (୪୪%) ପସନ୍ଦର ବିଷ ଥିଲା। ଏହାବ୍ୟତୀତ ଏହି ଅଧ୍ୟୟନରେ ଆଲୁମିନିୟମ ଫସ୍‌ଫାଇଡ୍‌ ବିଷକ୍ରିୟାର ଗମ୍ଭୀରତା ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ମୃତ୍ୟୁହାର ୩୮% ଅଧିକ ଥିଲା।