ଜଣେ ମହିଳାଙ୍କ ସହ ଭିଡିଓ କରି ଭାଇରାଲ କରିଥାନ୍ତେ ଶିଷ୍ୟ: ସୁଇସାଇଡ ନୋଟରେ କିଛି ଏଭଳି ଲେଖିଛନ୍ତି ମହନ୍ତ ନରେନ୍ଦ୍ର ଗିରି

ପ୍ରୟାଗରାଜ: ସୋମବାର ସନ୍ଦେହଜନକ ସ୍ଥିତିରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରେ ପୁଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି। ପୁଲିସ ଘଟଣାସ୍ଥଳରୁ ୮ ପୃଷ୍ଠାର ଯେଉଁ ସୁଇସାଇଡ ନୋଟ ଜବତ କରିଛି ସେଥିରେ ତିନି ଜଣଙ୍କ ନାମ ଲେଖାଯାଇଛି।

ଯେଉଁଥିରେ ଶିଷ୍ୟ ଆନନ୍ଦ ଗିରି, ହନୁମାନ ମନ୍ଦିରର ମୁଖ୍ୟ ପୁରୋହିତ ଆଦ୍ୟ ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମ ଲେଖାଥିବା ଦେଖିବାକୁ ମିଳିଛି | ସେ ପ୍ରତ୍ୟେକ ପୃଷ୍ଠାର ତଳେ ଦସ୍ତଖତ କରିଛନ୍ତି | ଏଥିରେ ଲେଖାଯାଇଛି ଯେ ଏହି ମାସ ୧୩ ତାରିଖ ଦିନ ମଧ୍ୟ ତାଙ୍କ ମନକୁ ଆତ୍ମହତ୍ୟା କରିବାର ଚିନ୍ତା ଆସିଥିଲା। ସେହିପରି ସୁଇସାଇଡ ନୋଟଟି ଭାରତୀୟ ଆଖଡା ପରିଷଦର ଲେଟର ହେଡ଼ରେ ଲେଖାଯାଇଛି | ଚିଠିର ଅନେକ ସ୍ଥାନରେ ଶବ୍ଦ ଏବଂ ଧାଡି କଟାଯାଇ ପରେ ପୁଣି ଲେଖାଯାଇଥିବାର ଦେଖିବାକୁ ମିଳିଛି |

ଏହି ସୁଇସାଇଡ ନୋଟରେ ସେ ଆନନ୍ଦ ଗିରିଙ୍କ ଦ୍ୱାରା କିପରି ମାନସିକ ସ୍ତରରେ ଶୋଷଣର ଶିକାର ହେଉଥିଲେ ତାହା ବଖାଣିଛନ୍ତି | ନରେନ୍ଦ୍ର ଗିରି ଭୟ କରୁଥିଲେ ଯେ ଆନନ୍ଦ ଗିରି ଜଣେ ମହିଳାଙ୍କ ସହ ତାଙ୍କ ଫଟୋ ଯୋଡି ଭାଇରାଲ କରିପାରନ୍ତି। ଏହା ବ୍ୟତୀତ ଯେଉଁମାନେ ତାଙ୍କୁ ସମର୍ଥନ କରନ୍ତି, ତାଙ୍କର ସେବା ଏବଂ ସାହାଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି | ଏହା ସହିତ ସେ ବଲବୀର ପୁରୀଙ୍କୁ ଉତ୍ତରାଧିକାରୀ କରିବା ବିଷୟରେ ମଧ୍ୟ ଚିଠିରେ ଲେଖିଛନ୍ତି |

ସମ୍ବନ୍ଧିତ ଖବର