ନୂଆଦିଲ୍ଲୀ: ଭାରତରେ ବୈବାହିକ ସମସ୍ୟା ସହ ଜଡିତ ଆତ୍ମହତ୍ୟା ୨୦୨୨ ପରଠାରୁ ଏକ ଭିନ୍ନ ଧାରା ଦେଖାଇଛି। ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ, ୨୦୨୨ ଓ ୨୦୨୩ରେ ଭାରତରେ ବିବାହ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି, ଯାହା ୨୦୨୧ ପର୍ଯ୍ୟନ୍ତ ଯାହା ଘଟୁଥିଲା ତାହାର ବିପରୀତ। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁଯାୟୀ, ୨୦୨୨ ପୂର୍ବରୁ ଭାରତରେ ବିବାହ ସମ୍ବନ୍ଧୀୟ ଆତ୍ମହତ୍ୟାକାରୀ ମଧ୍ୟରେ ଅଧିକାଂଶ ମହିଳା ଥିଲେ। କିନ୍ତୁ ବର୍ତ୍ତମାନ ଢାଞ୍ଚା ବଦଳିଛି, ବ୍ୟବଧାନ ସଂକୀର୍ଣ୍ଣ ଓ ଓଲଟା ହେଉଛି।

Advertisment

୨୦୨୩ରେ ୪,୧୮୦ ମହିଳା ବିବାହ ସମ୍ବନ୍ଧୀୟ ସମସ୍ୟା ହେତୁ ଆତ୍ମହତ୍ୟା କରିଥିଲେ। ସେହି ବର୍ଷ ସମୁଦାୟ ୪,୮୬୩ ଜଣ ପୁରୁଷ ସମାନ କାରଣରୁ ଆତ୍ମହତ୍ୟା କରିଛନ୍ତି। ୨୦୨୨ରେ ୪,୨୩୭ ପୁରୁଷ ଓ ୩,୯୨୬ ଜଣ ମହିଳା ଆତ୍ମହତ୍ୟା କରିଥିଲେ। ୨୦୧୫ ପରେ ଏହି ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଛି, ଯେତେବେଳେ ୨,୪୯୭ ପୁରୁଷଙ୍କ ତୁଳନାରେ ବିବାହ ସମ୍ବନ୍ଧୀୟ ସମସ୍ୟାରେ ପ୍ରାୟ ୪,୦୦୦ ମହିଳା ଆତ୍ମହତ୍ୟା କରିଥିଲେ। ୨୦୧୬ରେ ଏହି ବ୍ୟବଧାନ ସବୁଠାରୁ ଅଧିକ ଥିଲା, ଯେତେବେଳେ ୨,୫୧୨ ପୁରୁଷଙ୍କ ତୁଳନାରେ ୪,୩୬୮ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଦୈନିକ ହାରାହାରି ହିସାବରେ, ୨୦୧୫ରେ ଭାରତରେ ବିବାହ ସମ୍ବନ୍ଧୀୟ ସମସ୍ୟା ହେତୁ ୧୧ ଜଣ ମହିଳା ଆତ୍ମହତ୍ୟା କରିଥିଲେ, ଯେତେବେଳେ କି ୭ ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ସଂଖ୍ୟା ୧୧ ଥିବାବେଳେ ୨୦୨୩ରେ ପୁରୁଷଙ୍କ ସଂଖ୍ୟା ଦୈନିକ ୧୩କୁ ବୃଦ୍ଧି ପାଇଛି।

ପୁରୁଷ ଆତ୍ମହତ୍ୟା ବୃଦ୍ଧି ଯୋଗୁ ଭାରତରେ ଆତ୍ମହତ୍ୟା ସଂଖ୍ୟାରେ ସାମଗ୍ରିକ ବୃଦ୍ଧି ଘଟିଛି। ବିବାହ ସମ୍ବନ୍ଧୀୟ ଆତ୍ମହତ୍ୟା ୨୦୧୫ରେ ୬,୪୧୨ରୁ ୨୦୧୯ରେ ୭,୫୯୫ ଏବଂ ୨୦୨୩ରେ ୯,୦୪୩କୁ ବୃଦ୍ଧି ପାଇଛି। ଦୈନିକ ହାରାହାରି ହିସାବରେ ୨୦୧୫ରେ ବିବାହ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଭାରତରେ ପ୍ରତିଦିନ ୧୮ଟି ଆତ୍ମହତ୍ୟା ରିପୋର୍ଟ କରାଯାଇଥିଲା ଯାହା ୨୦୨୩ରେ ୨୫କୁ ବୃଦ୍ଧି ପାଇଥିଲା। ପ୍ରାୟତଃ ମହିଳା ଆତ୍ମହତ୍ୟା ପାଇଁ ଯୌତୁକ ଓ ନିର୍ଯାତନାକୁ ଦାୟୀ କରାଯାଏ। ପୁରୁଷମାନେ ମଧ୍ୟ ବିବାହ ସମସ୍ୟାର ସମାଧାନ ନ ହେବା, ବିବାହ ବର୍ହିଭୂତ ସମ୍ପର୍କ ଓ ଛାଡପତ୍ର ପରେ ଚାପର ସମ୍ମୁଖୀନ ହୁଅନ୍ତି। ଏହି ପ୍ରସଙ୍ଗଗୁଡ଼ିକ ପୁରୁଷ ଆତ୍ମହତ୍ୟାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ଭାବରେ ଉଭା ହେଉଛି। ଏନ୍‌ସିଆର୍‌ବି ଦ୍ୱାରା ବିବାହ ସମ୍ବନ୍ଧୀୟ ପ୍ରସଙ୍ଗରେ ତାଲିକାଭୁକ୍ତ ଆତ୍ମହତ୍ୟାର କାରଣଗୁଡ଼ିକ ହେଉଛି: ବିବାହ ସମସ୍ୟାର ସମାଧାନ ନ ହେବା, ଯୌତୁକ ସମ୍ବନ୍ଧୀୟ ପ୍ରସଙ୍ଗ, ବିବାହେତର ସମ୍ପର୍କ, ଛାଡପତ୍ର ଓ ‘ଅନ୍ୟାନ୍ୟ’।