ନୂଆଦିଲ୍ଲୀ: ଆଇଆଇଟି, ଆଇଆଇଏମ୍, ଏମ୍ସ ଓ ଏନ୍ଆଇଟି ଭଳି ଦେଶର ଶୀର୍ଷ କଲେଜଗୁଡ଼ିକରେ ଛାତ୍ର ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବା ସୁପ୍ରିମ୍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ୨୦୧୮ ପରଠାରୁ ୯୮ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୩୯ଟି କେବଳ ଆଇଆଇଟିରେ ଘଟିଛି। ଏହି ସମସ୍ୟାର ସମାଧାନ ପାଇଁ କୋର୍ଟ ଅବସରପ୍ରାପ୍ତ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ନେତୃତ୍ୱରେ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲେ। ସରକାରୀ ଅଧିକାରୀଙ୍କ ସହ ମାନସିକ ରୋଗ ଚିକିତ୍ସା, ଶିକ୍ଷା, ଆଇନ ଓ ସାମାଜିକ ନ୍ୟାୟ ବିଶେଷଜ୍ଞମାନଙ୍କୁ ନେଇ ଏହି ଟାସ୍କଫୋର୍ସ ଗଠିତ ହୋଇଥିଲା।
ଟାସ୍କଫୋର୍ସ ଛାତ୍ର, ଅଧ୍ୟାପକ, ଅଭିଭାବକ ଓ ପ୍ରଶାସକଙ୍କ ନିକଟରେ ପହଞ୍ଚି ଦେଶବ୍ୟାପୀ ସର୍ଭେ କରିଥିଲା। ଲକ୍ଷ୍ୟ ଥିଲା ଛାତ୍ର ଆତ୍ମହତ୍ୟାର କାରକଗୁଡିକ ବିଷୟରେ ସ୍ପଷ୍ଟ ଓ ବିସ୍ତୃତ ଜ୍ଞାନ ସଂଗ୍ରହ କରିବା ଏବଂ ସମାଧାନ ଲାଗି ସୁପାରିଶ କରିବା। ବାରମ୍ବାର ମନେ ପକାଇବା ସତ୍ତ୍ବେ ୬୦,୦୦୦ରୁ ଅଧିକ ଉଚ୍ଚଶିକ୍ଷା ଅନୁଷ୍ଠାନ ମଧ୍ୟରୁ କେବଳ ୩,୫୦୦ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିରେ ୧୭ଟି ଆଇଆଇଟି, ୧୫ଟି ଆଇଆଇଏମ୍, ୧୬ଟି ଏମ୍ସ ଏବଂ ୨୪ଟି ଏନ୍ଆଇଟି ରହିଛି। ସେପ୍ଟେମ୍ବର ୨୦୨୫ ସୁଦ୍ଧା, ୧୦୦,୦୦୦ରୁ ଅଧିକ ପ୍ରତିକ୍ରିୟା ସଂଗ୍ରହ କରାଯାଇଥିଲା। ସୁପ୍ରିମ୍କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଏହି ପ୍ରୟାସକୁ ଅଣଦେଖା କରୁଥିବା ଅନୁଷ୍ଠାନଗୁଡ଼ିକ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରନ୍ତି।
ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୫ ରିପୋର୍ଟରେ ଦର୍ଶାଯାଇଛି ଯେ, ଛାତ୍ର ଆତ୍ମହତ୍ୟା ୨୦୧୩ରେ ୮,୪୨୩ ରୁ ୨୦୨୩ରେ ୧୩,୮୯୨କୁ (୬୫%) ବୃଦ୍ଧି ପାଇଛି। ବର୍ତ୍ତମାନ ସମସ୍ତ ଆତ୍ମହତ୍ୟାର ୮.୧ ପ୍ରତିଶତ ଛାତ୍ର, ଯାହା ୨୦୧୩ରେ ୬.୨ ପ୍ରତିଶତରୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ତାମିଲନାଡୁରେ ସର୍ବାଧିକ ସଂଖ୍ୟକ ଛାତ୍ର ଆତ୍ମହତ୍ୟା ହୋଇଥିବା ରିପୋର୍ଟ ହୋଇଛି। ସମ୍ଭ୍ରାନ୍ତ କଲେଜର ଛାତ୍ରମାନେ ଏକ ଚାପ ଅନୁଭବ କରନ୍ତି। ଏକାଡେମିକ୍ ଚ୍ୟାଲେଞ୍ଜ, ଆର୍ଥିକ ସମସ୍ୟା, ଭେଦଭାବ, ରାଗିଂ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଖୋରାକ ଯୋଗାଉଥିବା ପରିସ୍ଥିତି ଆତ୍ମହତ୍ୟା ଲାଗି ବାଟ କଢ଼ାଇ ନେଇଥାଏ।। ଅଧିକାଂଶ ଆତ୍ମହତ୍ୟା ଉଚ୍ଚ ଆଶା ଓ ତୀବ୍ର ପ୍ରତିଯୋଗିତା ସହ ଏକାଡେମିକ୍ ଚାପ ଓ ସାମାଜିକ ଚାପର ମିଶ୍ରଣ ହେତୁ ହୋଇଥାଏ। ଅନେକ ଛାତ୍ର ସାହାଯ୍ୟ ମାଗିବାଠାରୁ ଦୂରେଇ ରୁହନ୍ତି। ଏହା ପରିବର୍ତ୍ତେ କେତେକ ନିଶା ସେବନ ପରି ଅସ୍ୱାସ୍ଥ୍ୟକର ଅଭ୍ୟାସ ଆଡକୁ ମୁହାଁଇଥାନ୍ତି। ସାମାଜିକ ବହିଷ୍କାର ଓ କ୍ୟାମ୍ପସ୍ ସଂସ୍କୃତି ଚାପକୁ ବଢାଇଥାଏ। ଏଣୁ ନୀତି ଓ କ୍ୟାମ୍ପସ୍ ସଂସ୍କୃତିରେ ଜରୁରୀ ସଂସ୍କାର ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।