ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ସ୍ଥିତି। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଏବେ ଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କ ହିଂସାକୁ ନେଇ ଆଶ୍ଚର୍ଯ୍ୟଜନକ ଫଟୋ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇବା ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଛନ୍ତି। ଏବେ ସ୍ଥିତିକୁ ଦେଖି ଜୀବନ ବଞ୍ଚାଇବା ପାଇଁ ରାଷ୍ଟ୍ରପତି ନିଜ ପରିବାର ସହ ଦେଶ ଛାଡ଼ିଥିବା ଚର୍ଚ୍ଚା ଜୋର ଧରିଛି।

Advertisment

ତେବେ ରାଷ୍ଟ୍ରପତି ଏବେ ଦେଶରେ ଅଛନ୍ତି ନା ଦେଶ ଛାଡିଛନ୍ତି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଦେଶ ଛାଡ଼ି ପଳାୟନ କରୁଥିବା ନେଇ ଦାବି କରାଯାଇଛି। ଭାଇରାଲ ଭିଡିଓ ମାଧ୍ୟମରେ ଦାବି ହେଉଛି ଯେ ପାଣି ଜାହାଜରେ ରାଷ୍ଟ୍ରପତି ତାଙ୍କ ପରିବାର ସହ ଦେଶ ଛାଡ଼ିଛନ୍ତି।

ଏଥି ସହିତ ଅନ୍ୟ ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ ଏକ ଭିଭିଆଇପି କନଭଏ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନରେ ଚଢ଼ି ରାଷ୍ଟ୍ରପତି ଦେଶ ଛାଡ଼ିଛନ୍ତି। ତେବେ ବାସ୍ତବରେ ସତ କ’ଣ ତାହା ସ୍ପଷ୍ଟ ହୋଇପାରିନାହିଁ।

ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ମଧ୍ୟରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ‘ଗୋଟା ଗୋ ହୋମ’ର ସ୍ଲୋଗାନ ଦେଉଥିବା ସାମ୍ନାକୁ ଆସିଛି। କିଛି ବିକ୍ଷୋଭବାରୀ ରାଷ୍ଟ୍ରପତି ଭବନ ଭିତରେ ପଶି ଭିତରେ ଥିବା ସୁଇମିଂ ପୁଲରେ ପହଁରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।ବିକ୍ଷୋଭ ପ୍ରଦର୍ଶନ ବେଳେ ଶ୍ରୀଲଙ୍କା ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ପ୍ରାୟ ୧୦୦ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସ୍ଥିତି ଖରାପ ହେଉଥିବ‌ାରୁ ଜୁଲାଇ ୧୫ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ଖରାପ  ହେତୁ ଶ୍ରୀଲଙ୍କା ଅତି କମରେ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଛି।