ସୁକେଶଙ୍କୁ ବିବାହ କରିବାକୁ ସ୍ବପ୍ନ ଦେଖୁଥିଲେ ଜାକଲିନ, ଠକକୁ ଭାବୁଥିଲେ ମନର ରାଜକୁମାର

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ବାବଦରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଥିବାବେଳେ ଏହି ମାମଲାରେ ଜାକଲିନଙ୍କ ସମ୍ପୃକ୍ତି ନେଇ ବୁଧବାର ଦିଲ୍ଲୀ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ତାଙ୍କୁ ଆଠ ଘଣ୍ଟା ପଚରାଉଚରା କରିଥିଲା । ଗତ ମାସରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଥିଲା ​​ଯେଉଁଥିରେ ଅଭିନେତ୍ରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା । ଇଡି ଚାର୍ଜସିଟରେ ଦର୍ଶାଯାଇଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଜାକଲିନ ସୁକେଶଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କ ଅପରାଧ ଜାଣିବା ପରେ ମଧ୍ୟ ସେ ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ।

ସୂଚନାନୁସାରେ, ଜାକଲିନ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ସେ ଭାବିଥିଲେ, ‘ସେ ତାଙ୍କ ସ୍ୱପ୍ନର ରାଜକୁମାର।’ ସେ ତାଙ୍କ ଅପରାଧ ବିଷୟରେ ଜାଣିଥିଲେ। ଯେତେବେଳେ କି ନୋରା ଫତେହି, ସୁକେଶଙ୍କୁ ନେଇ ସନ୍ଦେହ ହେବା ମାତ୍ରେ ଆଉ ସମ୍ପର୍କ ରଖିନଥିଲେ |

ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୁଲିସ କମିଶନର ରବିନ୍ଦର ଯାଦବ କହିଛନ୍ତି, ଜାକଲିନ ତାଙ୍କ ଅପରାଧ ବିଷୟରେ ଜାଣିବା ପରେ ମଧ୍ୟ ସୁକେଶଙ୍କ ସହିତ ସମ୍ପର୍କକୁ ଶେଷ କରିନଥିଲେ କିନ୍ତୁ ନୋରାଙ୍କୁ ସନ୍ଦେହ ହେବା ମାତ୍ରେ ସେ ନିଜକୁ ସୁକେଶଙ୍କ ଠାରୁ ଦୂରେଇଯାଇଥିଲେ | ସେହିପରି ଦିଲ୍ଲୀ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଜାକଲିନଙ୍କ ମ୍ୟାନେଜର ପ୍ରଶାନ୍ତଙ୍କଠାରୁ ଏକ ଡୁକାଟୀ ସୁପରବାଇକ୍ ଜବତ କରିଛି ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା। ଅଧିକାରୀମାନେ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ହିଁ ଏହି ବାଇକକୁ ପ୍ରଶାନ୍ତଙ୍କୁ ଉପହାର ଦେଇଥିଲେ |

ସମ୍ବନ୍ଧିତ ଖବର