‘ମୋତେ ଏଠି ନିର୍ଯାତନା ଦେଇ ମାରିଦେବେ’, ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ଠକ ସୁକେଶଙ୍କ ଚିଠି

ନୂଆଦିଲ୍ଲୀ : ମହାଠକ ସୁକେଶ ଚନ୍ଦ୍ରଶେଖର ଆଉ ଏକ ଚିଠି ଲେଖିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟକୁ। ଏଥିରେ ସେ ତାଙ୍କୁ ଜେଲ ଭିତରେ ପୁଲିସ ଦ୍ବାରା ମାଡ଼ ମରାଯାଉଥିବା ଓ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏଣୁ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଦିଲ୍ଲୀ ବାହାରେ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଚିଠିର ଏକକିତା ନକଲ ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରଧାନବିଚାରପତିଙ୍କ ପାଖକୁ ପଠାଇଛନ୍ତି।

ସୁକେଶ ତାଙ୍କ ପଞ୍ଚମ ଚିଠିରେ ଲେଖିଛନ୍ତି ଯେ, ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଏମାନେ ନିର୍ଯାତନା ଦେଇ ମାରିଦେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମୁହଁ ଖୋଲିବା ପରେ ଦିଲ୍ଲୀରେ ତାଙ୍କ ଜୀବନ ସୁରକ୍ଷିତ ନାହିଁ। ତାଙ୍କର ଓ ତାଙ୍କ ସ୍ତ୍ରୀର କ୍ଷତି କରିବା ପାଇଁ ସେମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି। ସୁକେଶ ଅଭିଯୋଗ କରିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ତାଙ୍କୁ ସାଲିସ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି। ଯଦି ସେ ତାଙ୍କ ପ୍ରସ୍ତାବ ଗ୍ରହଣ ନ କରନ୍ତି ତେବେ ତାଙ୍କ ସ୍ତ୍ରୀକୁ ନିର୍ଯାତନା ଦେଇ ମାରିଦିଆଯିବ ବୋଲି କୁଆଡ଼େ ଜୈନ ଧମକ ଦେଇଛନ୍ତି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଆପ୍ ନେତାଙ୍କ ବିରୋଧରେ ସେ କରିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ଚାପ ପକାଉଛନ୍ତି।

ଏହା ପୂର୍ବରୁ ସୁକେଶ ଉପରାଜ୍ୟପାଳ ସାକ୍ସେନାଙ୍କ ପାଖକୁ ଚିଠି ଲେଖି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଅନ୍ୟମାନଙ୍କ ବିରୋଧରେ ସେ କରିଥିବା ଅଭିଯୋଗର ସାନି ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ଜଣେ ଅର୍ବୁଦପତିଙ୍କ ସ୍ତ୍ରୀଙ୍କଠାରୁ ୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ସୁକେଶ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ସ୍ବାମୀଙ୍କୁ ଜେଲରୁ ମୁକୁଳାଇବା ପାଇଁ ମହିଳା ଜଣକ ସୁକେଶଙ୍କୁ ଏହି ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର