ମଧ୍ୟପ୍ରଦେଶର ମୁରୈନାରେ ସୁଖୋଇ-୩୦ ଓ ମିରେଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ: ରିପୋର୍ଟ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି।

ତାଲିମ ଅଭ୍ୟାସ ନିମନ୍ତେ ଉପରୋକ୍ତ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା।

ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି, ନାହିଁ ଜାଣିବା ଲାଗି ଭାରତୀୟ ବାୟୁସେନା ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦେଇଛି।

Image Courtesy of ANI

ମୁରୈନା ଜିଲ୍ଲାପାଳ କହିଛନ୍ତି ଯେ, ଭୋର୍‌ ୫.୩୦ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ଏସ୍‌. ପି.ଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଉଛି। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ହାଜର ହୋଇଛି। ଦମକଳ ମଧ୍ୟ ପଠାଯାଇଛି।

ମୁରୈନା ଡେପୁଟି କଲେକ୍ଟର୍‌ ଅଙ୍କିତ ଅସ୍ଥାନା କହିଛନ୍ତି, ପାଇଲଟ୍‌ଙ୍କୁ ଠାବ କରାଯାଇଛି ଉଦ୍ଧାର ଅଭିଯାନ ନିମନ୍ତେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଅଛନ୍ତି। ସାମାନ୍ୟ ଆହତ ହୋଇଥିବା ପାଇଲଟ୍‌ ଦୁହେଁ ବିପଦମୁକ୍ତ ଅଛନ୍ତି। ବାୟୁସେନା ହେଲିକପ୍ଟର ଯୋଗେ ତୃତୀୟ ପାଇଲଟ୍‌ଙ୍କୁ ଖୋଜା ଚାଲିଥିଲା। କିନ୍ତୁ, ସେ ମୃତ ବୋଲି ଭାରତୀୟ ବାୟୁସେନା ଘୋଷଣା କରିଛି।

ରିପୋର୍ଟ ଅନୁସାରେ, ଦୁର୍ଘଟଣା ସଂକ୍ରାନ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ‘ସିଡିଏସ୍‌’ ଓ ବାୟୁସେନା ମୁଖ୍ୟଙ୍କଠାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛନ୍ତି।

ଦୁର୍ଘଟଣାଗ୍ରସ୍ତ ବିମାନର କିଛି ଅଂଶ ୧୦୦ କିଲୋମିଟର୍‌ ଦୂର ରାଜସ୍ଥାନର ଭରତପୁରରେ ପଡ଼ିଥିବା ଜଣାପଡ଼ିଛି। ଏହା ଗୋଟାଏ ଚାର୍ଟର୍ଡ ବିମାନ ଦୁର୍ଘଟଣା ବୋଲି ପ୍ରଥମେ ଭରତପୁରର ଜିଲ୍ଲାପାଳ ଓ ଏସ୍‌.ପି. ସୂଚନା ଦେଇଥିଲେ। କିନ୍ତୁ,ଏହା ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଅଂଶବିଶେଷ ବୋଲି ପରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର