ଭାରତ ମହାସାଗର ପଟୁ ଶତ୍ରୁଙ୍କ ଉଦ୍ୟମକୁ ମୁକାବିଲା କରିବାକୁ ମୁତୟନ ହେଲା ସୁଖୋଇ ଯୁଦ୍ଧ ବିମାନ

ତାଞ୍ଜାଭୁର: ଏଣିକି  ଭାରତ ମହାସାଗର ଅଞ୍ଚଳରେ  ପଡ଼ୋଶୀ ରାଷ୍ଟ୍ରଙ୍କ ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବ ବାୟୁସେନା | ଦକ୍ଷିଣ ପଟୁ ଭାରତକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଶତ୍ରୁଙ୍କୁ ମାତ ଦେବ ଅତ୍ୟାଧୁନିକ ଲଢ଼ୁଆ  ଯୁଦ୍ଧ ବିମାନ ସୁଖୋଇ ୩୦ ଏମକେଆଇ | ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ୍ ଓ ବାୟୁସେନାର ଏୟାର ଚିଫ ମାର୍ଶାଲ ଆର କେ ଏସ୍ ଭଦୋରିଆ ଆଜି ତାମିଲନାଡୁର ତାଞ୍ଜାଭୁର ଏୟାରବେସରେ ଯୁଦ୍ଧବିମାନ ସୁଖୋଇ-୩୦ଏମକେଆଇକୁ ବାୟୁସେନାରେ ସାମିଲ କରିଛନ୍ତି |

ଏହି ଅଵସରରେ ଡିଆରଡିଓର ଅଧ୍ୟକ୍ଷ ଜି.ସତୀଶ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ | ଏହା ଦକ୍ଷିଣ ଭାରତର ପ୍ରଥମ ଲଢୁଆ ବିମାନ ସ୍କ୍ୱାଡ଼ର୍ନ ହେବ ଯାହାକି ସମୁଦ୍ରିକ ଇଲାକାରେ ସୁରକ୍ଷା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ | ସୁଖୋଇ-୩୦ଏମକେଆଇରେ ବ୍ରହ୍ମୋସ ସୁପରସୋନିକ ମିସାଇଲ ଖଞ୍ଜା ଯାଇଛି, ଯାହାକି ୩୦୦ କିଲୋମିଟର ଦୂରରୁ ମଧ୍ୟ ଲକ୍ଷ୍ୟଭେଦ କରିପାରିବ |

ଏହି ଯୁଦ୍ଧ ବିମାନ ସହ ୨.୫ ଟନ ଓଜନର ସୁପରସୋନିକ ବ୍ରହ୍ମୋସ ମିସାଇଲ ଖଞ୍ଜାଯାଇ ‘ଟାଇଗର ସାର୍କ’ ନାମରେ ଏକ ନୂତନ ସ୍କ୍ବାଡର୍ନ ଗଠନ କରାଯାଇଛି  | ବାୟୁସେନାର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଏହି ଅବସରରେ କହିଛନ୍ତି ଯେ ଏହି ଯୁଦ୍ଧ ବିମାନ ଦକ୍ଷିଣ ଭାରତରେ ଆମର ଶକ୍ତିକୁ ବୃଦ୍ଧି କରିବ | ବିଶେଷ କରି ସମୁଦ୍ରରେ ଶତ୍ରୁଙ୍କ ଉପରେ ନଜର ରଖିବାକୁ ଏହା କାର୍ଯ୍ୟ କରିବ | ଆଜି ଏହି ଯୁଦ୍ଧ ବିମାନ ସାମିଲ ହେବା ଅବସରରେ ୱାଟର ସାଲ୍ୟୁଟ ଦେଇ ସ୍ୱାଗତ କରାଯାଇଥିଲା |

ସମ୍ବନ୍ଧିତ ଖବର