ସୁଖୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ବର୍ତିଗଲେ ଓଡ଼ିଆ ପାଇଲଟ୍‌

ନାସିକ୍‌ : ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ପରୀକ୍ଷାମୂଳକ ଉଡ଼ାଣ କରୁଥିବା ଏକ ସୁଖୋଇ ଯୁଦ୍ଧ ବିମାନ ଆଜି ସକାଳେ ମହାରାଷ୍ଟ୍ରର ନାସିକ୍‌ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ବିମାନଟି ଆକାଶରେ ହିଁ ଜଳିଯିବା ସହ ଏକ ଚାଷ ଜମି ଅଂଚଳରେ ଏହାର ଜଳନ୍ତା ଧ୍ୱଂସାବଶେଷ ଖସିବାରୁ କେତେକ କୃଷି ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପିମ୍ପଲଗାଓଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଯୁଦ୍ଧ ବିମାନକୁ ଉଡ଼ାଉଥିବା ଭାରତୀୟ ବାୟୁସେନାର ୨ ଜଣ ପାଇଲଟ୍‌ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବର୍ତିଯାଇଥିବା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବବି ବିଶ୍ୱାଳ। ସେ ଚିଫ୍‌ ପାଇଲଟ୍‌ ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଚିଫ୍‌ ଟେଷ୍ଟ ଇଂଜିନିୟର ନାୟାର। ବବି ବିଶ୍ୱାଳଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ତାଙ୍କ ପରିବାର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବସବାସ କରୁଛନ୍ତି ବୋଲି ଜଣାପଡିଛି ।

ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଆଜି ନାସିକ୍‌ଠାରୁ ୨୫ କିମି ଦୂର ପିମ୍ପଲଗାଓଁ ନିକଟସ୍ଥ ଗୋର୍‌୍‌ଠାନ ଗ୍ରାମ ନିକଟରେ ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ଠିକ୍‌ ପୂର୍ବରୁ ଉଭୟ ପାଇଲଟ୍‌ ସିଟ୍‌ ଇଜେକ୍ଟର ସହାୟତାରେ ବିମାନରୁ ବାହାରି ଆସିବାକୁ ସକ୍ଷମ ହୋଇଥିଲେ। ବାୟୁସେନାରେ ସାମିଲ ହେବାକୁ ଅନୁମତି ପାଇଥିବା ଏହି ବିମାନର ଆଜି ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଥିଲା। ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହି ସୁଖୋଇ ଯୁଦ୍ଧ ବିମାନରେ ଅଧିକ ବିକାଶ କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକସ ଲିମିଟେଡ (ହାଲ୍‌)ରେ କିଛିଦିନ ହେଲା କାମ ଚାଲିଥିଲା। ଏହାର ଇଂଜିନ୍‌ ଦକ୍ଷତା ପରଖିବା ପାଇଁ ଆଜି ବିମାନକୁ ନାସିକ୍‌ ଏୟାର ବେସ୍‌ରୁ ଉଡ଼ାଣ ଅନୁମତି ମିଳିଥିଲା। ବିଗତ ୪ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନାର ଅନେକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି ଏବଂ ଏଥିପାଇଁ ବାୟୁସେନା ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛି। ନିକଟରେ ଉତ୍ତରାଖଣ୍ଡର କେଦାରନାଥରେ ମିଗ୍‌-୧୭ ହେଲିକପ୍‌୍‌ଟର ଦୁର୍ଘଟଣାର ଶିକାର ହୋଇଥିଲା

ସମ୍ବନ୍ଧିତ ଖବର