ସୁଲେମାନୀଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ବେଳେ କାନ୍ଦି ପକାଇଲେ ଖାମେନି

ତେହରାନ: ଗତ ଶୁକ୍ରବାର ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଥିବା ଇରାନ ସେନାର କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ତେହରାନଠାରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇ ଆମେରିକା ବିରୋଧୀ ସ୍ଲୋଗାନ ଦେଇଥିଲେ। ପ୍ରବଳ ଶୀତରେ ମଧ୍ୟ ହଜାର ହଜାର ମହିଳା ଏଥିରେ ସାମିଲ ହୋଇଥିଲେ। ସୁଲେମାନୀଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ଇରାନର ସର୍ବୋଚ୍ଚ ନେତା ଆ‌ୟାତୋଲ୍ଲା ଅଲ୍ଲୀ ଖାମେନି ପୌରୋହିତ୍ୟ କରିଥିଲେ। ସୁଲେମାନୀଙ୍କ କଫିନ ଉପରେ ପତାକା ‌ଘୋଡ଼ା ଯାଇଥିଲା। ଏହି ଶୋଭାଯାତ୍ରାକୁ ସରକାରୀ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା। ଖାମେନି କାନ୍ଦି ପକାଇବା ଦେଖାଯାଇଥିଲା। ପ୍ରାର୍ଥନା ସଭାରେ ସର୍ବୋଚ୍ଚ ନେତାଙ୍କ ନିକଟରେ ସୁଲେମାନୀଙ୍କ ପୁଅ, ସୁଲେମାନୀଙ୍କ ସ୍ଥାନରେ ନିଯୁକ୍ତ ହୋଇଥିବା କମାଣ୍ଡର ଇସମେଲ କ୍ବାନି, ରାଷ୍ଟ୍ରପତି ହାସନ ରୁହାନି, ସଂସଦର ବାଚସ୍ପତି ଅଲ୍ଲୀ ଲାରିଜାନି ଏବଂ ସେନାର ଶୀର୍ଷ କମାଣ୍ଡର ମେଜର ଜେନେରାଲ ହୁସେନ ସଲାମି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର