ଉତ୍ତରଭାରତରେ ତାପମାତ୍ରା ହ୍ରାସ: ପୁଣି ଫେରିପାରେ ଗ୍ରୀଷ୍ମଲହରି

ନୂଆଦିଲ୍ଲୀ: ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଓ ହରିୟାଣାର ବହୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ତେବେ ଏହିସବୁ ରାଜ୍ୟକୁ ଆଉ ପାଞ୍ଚଦିନ ପରେ ପୁଣି ତାପଲହରି ଫେରିପାରେ ବୋଲି ବୁଧବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ହ୍ରାସ ପାଇଛି। ଭୟଙ୍କର ତାପଲହରି ପ୍ରଭାବରେ ଏପ୍ରିଲ ମାସରେ ଅନେକ ଅଞ୍ଚଳରେ ତାପମାତ୍ରା ୪୬-୪୭ ଡିଗ୍ରି ଯାଏ ଥିଲା। ବର୍ତ୍ତମାନ ବର୍ଷା ଯୋଗୁ ସେଥିରେ ହ୍ରାସ ଘଟିଛି। କିନ୍ତୁ ଶୁକ୍ରବାର ପରଠାରୁ ମହାରାଷ୍ଟ୍ର ଓ ରାଜସ୍ଥାନ ପରି ରାଜ୍ୟମାନଙ୍କରେ ପୁନଶ୍ଚ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ବୁଧବାର ପ୍ରକାଶ କରିଛି। ୫ ଦିନ ପରେ ଏହି ଦୁଇଟି ରାଜ୍ୟକୁ ପୁଣି ତାପଲହରି ଫେରିବ। ଆଗାମୀ ଦୁଇଦିନ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ପ୍ରବଳ ପବନ ବହିବ ଏବଂ ଠାଆକୁ ଠାଆ ଚକଡ଼ା ବର୍ଷା ହୋଇପାରେ। ଏଥି ସହ ୫୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବା ସହିତ ଧୂଳିଝଡ଼ ହୋଇପାରେ। ଦକ୍ଷିଣ ଆଣ୍ଡାମାନ ସାଗରରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆହୁରି କହିଛି ଯେ, ଉକ୍ତ ଅଞ୍ଚଳରେ ମେ ୬ ପାଖାପାଖି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ଦିଲ୍ଲୀରେ ତପମାତ୍ରା ୪୦ ଡିଗ୍ରି ପାଖାପାଖି ରହିପାରେ।

ସମ୍ବନ୍ଧିତ ଖବର