ବାର୍ସେଲୋନା: ୨୦୨୩ରେ ପ୍ରବଳ ତାପମାତ୍ରା ଯୋଗୁଁ ୟୁରୋପରେ ପାଖାପାଖି ୫୦,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ଏହି ଅଞ୍ଚଳର ଦକ୍ଷିଣରେ ଥିବା ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ‘ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ’ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ ଏ ନେଇ ବିସ୍ତୃତ ତଥ୍ୟ ରହିଛି। ଗତବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଜଳବାୟୁ ପରିବର୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୟୁରୋପୀୟମାନେ ବିଶ୍ୱର ଦ୍ରୁତ ବୃଦ୍ଧିଶୀଳ ଉଷ୍ଣତା ବିଶିଷ୍ଟ ମହାଦେଶରେ ବସବାସ କରୁଛନ୍ତି ଏବଂ ପ୍ରବଳ ଗରମ ଯୋଗୁଁ ସ୍ୱାସ୍ଥ୍ୟ-ବିପଦର ସମ୍ମୁଖୀନ ହେଉଛନ୍ତି।
ସ୍ପେନିସ୍ ଗବେଷଣା କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ୨୦୨୩ରେ ମୃତ୍ୟୁ ସଂଖ୍ୟା ୪୭,୬୯୦ ହୋଇଛି, ଯାହା ପୂର୍ବ ବର୍ଷ ପାଇଁ ଆକଳନ କରାଯାଇଥିବା ୬୦,୦୦୦ରୁ କମ୍। ଗତ ୨୦ ବର୍ଷ ମଧ୍ୟରେ ଲୋକମାନଙ୍କୁ ତାପମାତ୍ରାର ବିପଦ ପ୍ରତି ସଚେତନ କରାଯିବା ସହ ସ୍ୱାସ୍ଥ୍ୟ ସେବାର ଉନ୍ନତି ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତା’ ନ ହୋଇଥିଲେ ମୃତ୍ୟୁସଂଖ୍ୟା ୮୦% ଅଧିକ ହୋଇଥାନ୍ତା ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଗବେଷକମାନେ ୩୫ଟି ୟୁରୋପୀୟ ଦେଶର ମୃତ୍ୟୁ ଓ ତାପମାତ୍ରା ରେକର୍ଡକୁ ବ୍ୟବହାର କରିଥିଲେ। ଉଚ୍ଚତାପମାତ୍ରା-ଜନିତ କାରଣରୁ ୪୭,୬୯୦ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନେ ଆକଳନ କରିଛନ୍ତି। ଜନସଂଖ୍ୟାର ତଥ୍ୟକୁ ଅନୁଧ୍ୟାନ କଲେ ଗ୍ରୀସ୍, ବୁଲଗେରିଆ, ଇଟାଲି ଓ ସ୍ପେନରେ ଗରମ-ଜନିତ ମୃତ୍ୟୁହାର ସର୍ବାଧିକ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhfsshffhf.jpg)