ପୁଣେ: ଏ ବର୍ଷ କେତେକ ରାଜ୍ୟରେ ଗ୍ରୀଷ୍ମଋତୁ ଅସହ୍ୟ ହେବ ନାହିଁ ସତ, କିନ୍ତୁ ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ମାର୍ଚ ରୁ ମେ ମାସ ଯାଏଁ ଗ୍ରୀଷ୍ମଋତୁର ହାରାହାରି ଉତ୍ତାପ ଅଧିକାଂଶ ପାଣିପାଗ ଉପଖଣ୍ଡରେ ସ୍ୱାଭାବିକ ରହିବାର ସମ୍ଭାବନା ଅଛି।
କିନ୍ତୁ, ହିମାଚଳ ପ୍ରଦେଶ, ପଶ୍ଚିମ ରାଜସ୍ଥାନ, କୋଙ୍କଣ, ଗୋଆ, ଉପକୂଳୀୟ କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ରପ୍ରଦେଶରେ ତାପମାତ୍ରା ସ୍ୱାଭାବିକ ଠାରୁ ୦. ୫ ରୁ ୧ ଡିଗ୍ରି ଅଧିକ ଉତ୍ତପ୍ତ ରହି ପାରେ।
ପଞ୍ଜାବର ଅଭ୍ୟନ୍ତର ଜୋନ୍, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ତେଲେଙ୍ଗାନା ତଥା ମରାଠାଓ୍ଵାଡ଼ା, ବିଦର୍ଭ, ମଧ୍ୟ ମହାରାଷ୍ଟ୍ର ଏବଂ ଉପକୂଳୀୟ ଆନ୍ଧ୍ରପ୍ରଦେଶ ପ୍ରଭୃତି ପାଣିପାଗ ଉପଖଣ୍ଡରେ ଗ୍ରୀଷ୍ମ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ ଅଧିକ ରହିପାରେ।
ଅସ୍ୱାଭାବିକ ଭାବେ ଉତ୍ତପ୍ତ ଗ୍ରୀଷ୍ମ ପ୍ରବାହ ସାଧାରଣତଃ ଦୁଇ ଦିନ କିଂବା ତା’ ଠାରୁ ଟିକିଏ ଅଧିକ ସମୟ ରହେ।
ପାଣିପାଗ ବିଭାଗ କହିଛି ଯେ ମାର୍ଚ ଓ ମେ ୨୦୧୯ ମଧ୍ୟରେ ଅଭ୍ୟନ୍ତର ଗ୍ରୀଷ୍ମ ପ୍ରବାହ ଜୋନ୍ରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ହେବାର ୩୭% ସମ୍ଭାବନା ରହିଛି।