ମୁମ୍ବାଇ : ବହୁକୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ତଦନ୍ତ ଆହୁରି ଗଭୀରକୁ ଗତି କରିଛି । ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ସହ ବ୍ୟାଙ୍କ କାରବାର କରିଥିବା ମାମଲାରେ ପଚରାଉଚୁରା ପାଇଁ ତଦନ୍ତକାରୀ ଏଜେନ୍ସିମାନେ ଦେଶର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟଙ୍କୁ ସମନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଆକ୍ସିସ ବ୍ୟାଙ୍କ ଅଧ୍ୟକ୍ଷା ଶିଖା ଶର୍ମା ଓ ଆଇସିଆଇସିଆଇ ବ୍ୟାଙ୍କ ଅଧ୍ୟକ୍ଷା ଚନ୍ଦା କୋଚରଙ୍କୁ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଗୁରୁତର ଠକେଇ ତଦନ୍ତ ଅଫିସ (ଏସଏଫଆଇଓ)ର ମୁମ୍ବାଇ ଶାଖାରେ ହାଜିର ହେବା ପାଇଁ କୁହାଯାଇଛି । କେତେକ ରିପୋର୍ଟରୁ ଜଣାପଡିଛି ଯେ ମେହୁଲ ଚୋକସୀଙ୍କ ଗୀତାଞ୍ଜଳୀ ଜୁଏଲର୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପ୍ରାୟ ୧୦୦୦ କୋଟି ଓ ଆକ୍ସିସ ବ୍ୟାଙ୍କ ପ୍ରାୟ ୭୦୦ କୋଟିର ଋଣ ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ ଆଉ କେତେକ ବ୍ୟାଙ୍କ ମଧ୍ୟ ଏସବୁ କମ୍ପାନିକୁ ଋଣ ଦେଇଥିବା ଅଭିଯୋଗ ଆସିଛି । ଏ ସମ୍ପର୍କରେ ପଚରାଉଚୁରା ପାଇଁ ଏସଏଫଆଇଓ ପକ୍ଷରୁ ଷ୍ଟେଟ ବ୍ୟାଙ୍କକୁ ମଧ୍ୟ ସମନ ପଠାଯାଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଯେ ଉଭୟ ନିରବ ମୋଦି ଓ ଚୋକସୀ ଜାଲିଆତି କରି ରାଷ୍ଟ୍ରାୟତ ପଂଜାବ ନ୍ୟାସନାଲ ବ୍ୟାଙ୍କଠାରୁ ୧୨,୬୦୦ କୋଟି ଟଙ୍କା ଠକିନେଇଛନ୍ତି । ଏବେ ସିବିଆଇ ସେମାନଙ୍କୁ ଖୋଜୁଥିବାବେଳେ ଉଭୟେ ବିଦେଶକୁ ପଳାଇଯାଇଛନ୍ତି ।