ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବ ବିଜେପି ସରକାର ବିରୋଧରେ ୪୦ ପ୍ରତିଶତ କମିସନ ପ୍ରଚାର ମାମଲାରେ ଏବେ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ମାମଲାରେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କୋର୍ଟ ସମନ ଜାରି ହୋଇଛି। ପୂର୍ବ ବିଜେପି ସରକାର ବିରୋଧରେ ବିନା କୌଣସି ତଥ୍ୟ ପ୍ରମାଣରେ କଂଗ୍ରେସ ନେତାମାନେ ବେପରୁଆ ଭାବେ‘ ୪୦ ପ୍ରତିଶତ କମିସନ୍’ ଅଭିଯୋଗ ଆଣିଥିଲେ ଏବଂ ଏହାକୁ ସେମାନେ ବିଜ୍ଞାପନ ଆକାରରେ ମଧ୍ୟ ପ୍ରସାର କରାଇଥିଲେ ବୋଲି ଦର୍ଶାଇ ବିଜେପି କୋର୍ଟର ଦ୍ବାରସ୍ଥ ହୋଇଥିଲା ।
କଂଗ୍ରେସର ଏହି ପ୍ରଚାର ଅଭିଯାନ କେବଳ ଚାଞ୍ଚଲ୍ୟ ସୃଷ୍ଟି କରି ଭୋଟ୍ ପାଇବା ଲକ୍ଷ୍ୟରେ କରାଯାଇଥିବାରୁ ଏହାର ଜୋରଦାର ବିରୋଧ ଜାରି ରହିବ ବୋଲି ରାଜ୍ୟ ବିଜେପି କହିଛନ୍ତି। ଏହି ପ୍ରଚାର ଅଭିଯାନରେ କଂଗ୍ରେସ ପକ୍ଷରୁ ‘ପେସିଏମ୍ ପୋଷ୍ଟର’ ଲଗାଯାଇଥିଲା, ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ଫଟୋ ଥିଲା। ପୋଷ୍ଟରରେ ଥିବା କ୍ୟୁଆର୍ କୋଡ୍ ବ୍ୟବହାରକାରୀଙ୍କୁ କଂଗ୍ରେସର ‘୪୦ ପ୍ରତିଶତ ସରକାରୀ କମିସନ’ ୱେବସାଇଟକୁ ନେଉଥିଲା ଏବଂ ବିଜେପି ବିରୋଧୀ ପ୍ରଚାରରେ ଏହା ଏକ ମୁଖ୍ୟ ଅସ୍ତ୍ର ପାଲଟିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ। ଏ ବାବଦ ଯାଞ୍ଚ ପାଇଁ ୬ ସପ୍ତାହ ସମୟ ଲାଗିବ ବୋଲି ସରକାର କୋର୍ଟରେ କହିଥିଲେ। ତେବେ ଏହି ସମୟସୀମା ମଧ୍ୟରେ ସରକାର ଯାଞ୍ଚ ପୂରଣ କରିନଥିବା ବେଳେ ଆଜି ସମନ ଜାରି ହେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।