ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁର୍‌ଙ୍କୁ ସମନ୍‌

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପତ୍ନୀଙ୍କ ମୃତ୍ୟୁ ମାମଲାରେ ଶଶି ବିଚାର ପ୍ରକ୍ରିୟାର ସାମ୍ନା କରିବେ। ସୁନନ୍ଦା ମୃତ୍ୟୁ ମାମଲାରେ ଆଜି ଦିଲ୍ଲୀ କୋର୍ଟ ଶଶିଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ୍‌ କରିଛନ୍ତି। ଆସନ୍ତା ଜୁଲାଇ ୭ ତାରିଖରେ ଶଶି କୋର୍ଟରେ ହାଜର ହେବେ। ମାମଲାରେ ଜଣେ ଦୋଷୀ ଭାବେ ଶଶିଙ୍କ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଆଜି କୋର୍ଟ କହିଛନ୍ତି। ଦିଲ୍ଲୀ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍‌କୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ କୋର୍ଟ ଆଜି ଶଶିଙ୍କୁ ସମନ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହା ଜାନୁଆରି ୧୭ ତାରିଖରେ ଦକ୍ଷିଣ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲ୍‌ ରୁମ୍‌ରେ ସୁନନ୍ଦାଙ୍କ ମୃତ୍ୟୁ ହୋଇଥିଲା। ମାତ୍ରାଧିକ ଆଣ୍ଟିଡିପ୍ରେସାଣ୍ଟ୍‌ ଔଷଧ ଆଲପ୍ରାକ୍ସ ଖାଇ ସୁନନ୍ଦାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦିଲ୍ଲୀ ପୁଲିସ୍‌ର ଚାର୍ଜସିଟ୍‌ରୁ ଜଣାଯାଇଛି। ତେବେ ଏହି ମାମଲାରେ ଆଇପିସିର ଧାରା ୩୦୨ ଅଧୀନରେ ପ୍ରଥମେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ପରେ ଦିଲ୍ଲୀ ପୁଲିସ ମାମଲାରେ ସୁନନ୍ଦାଙ୍କ ସ୍ୱାମୀ ଶଶି ଥରୁର୍‌ଙ୍କୁ ଜଣେ ଅଭିଯୁକ୍ତ ଦର୍ଶାଇ ଆଇପିସିର ଧାରା ୩୦୬ ଏବଂ ଧାରା ୪୯୮ଏ ଅଧୀନରେ ମାମଲା ରୁଜୁ କରିଥିଲା। ଗତ ମେ’ ୨୮ ତାରିଖରେ ଦିଲ୍ଲୀ ପୁଲିସ ଶଶିଙ୍କୁ ସମନ୍‌ ପାଇଁ କୋର୍ଟରେ ଦାବି କରିଥିଲେ ମଧ୍ୟ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଶଶିଙ୍କ ବିରୋଧରେ ଗତ ମେ’ ମାସରେ ଦିଲ୍ଲୀ ପୁଲିସ ଦ୍ୱାରା ଦାଖଲ ହୋଇଥିବା ୩୦୦୦ ପୃଷ୍ଠାର ଚାର୍ଜସିଟ୍‌ରେ ଦର୍ଶାଯାଇଥିଲା ଯେ ଶଶି ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ। ତେଣୁ ସେ ଏହି ମାମଲାରେ ସମ୍ପୂର୍ଣ୍ଣ ଦୋଷୀ। ମୃତ୍ୟୁର ୯ ଦିନ ପୂର୍ବରୁ ସୁନନ୍ଦା ଶଶିଙ୍କ ନିକଟକୁ ଇମେଲ୍‌ ଯୋଗେ ପଠାଇଥିବା ମେସେଜ୍‌ – ‘ବଞ୍ଚିବାକୁ ଆଉ ଇଚ୍ଛା ନାହିଁ’ରୁ ବି ଏକଥା ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ମଧ୍ୟ ପୁଲିସ କୋର୍ଟରେ ଦାବି ଉପସ୍ଥାପନ କରିଥିଲା। ଏହି ମାମଲାରେ ଉକ୍ତ ଦମ୍ପତିଙ୍କ ଘରୋଇ ସହାୟକକୁ ମୁଖ୍ୟ ସାକ୍ଷୀ ଭାବେ ଦିଲ୍ଲୀ ପୁଲିସ ଦର୍ଶାଇଛି।

ଅଭିଯୋଗ ଅମୂଳକ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଜି ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ସମନ୍‌ କରାଯାଇଛି। ଜୁଲାଇ ୭ ତାରିଖରେ ସେ କୋର୍ଟରେ ହାଜର ହେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶଶି ଥରୁର୍‌ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଅବାନ୍ତର ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ଶଶି ତାଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟ୍‌ରେ ଏହା କହିଛନ୍ତି। ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ଅଭିଯାନ। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏସବୁ ଅଭିଯୋଗ ବିରୋଧରେ ସେ ଲଢ଼େଇ କରିବେ ଏବଂ ଶେଷରେ ସତ୍ୟର ହିଁ ଜୟ ହେବ। ତେବେ ଶଶି ତାଙ୍କୁ ଏବଂ ତାଙ୍କ ପରିବାରର ଗୋପନୀୟତା ଅଧିକାରକୁ ସମ୍ମାନ ଦେବାପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର