ନୂଆଦିଲ୍ଲୀ: ବ୍ରିଟେନ୍ର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପତ୍ନୀ ତଥା ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ଏନ୍ ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ଟିକସ ତଥ୍ୟ ସମ୍ବାଦପତ୍ରରେ ଲିକ୍ ହୋଇଯାଇଛି। ଏହାକୁ ବ୍ରିଟେନ ସରକାର ଗମ୍ଭୀରତାର ସହ ନେଇଛନ୍ତି ଓ ତଦନ୍ତ ନିର୍ଦେଶ ଦେଇଛନ୍ତି। ‘ଦି ଇଣ୍ଡେପେଣ୍ଡେଟ୍’ ନାମକ ସମ୍ବାଦପତ୍ର ପାଖରେ କିଭଳି ଅକ୍ଷତାଙ୍କ ଟିକସ ତଥ୍ୟ ପହଞ୍ଚିଲା ତାହା ଜାଣିବା ଲାଗି କ୍ୟାବିନେଟ୍ ଅଫିସ ଓ ଏଚ୍ଏମ୍ ଟେଜ୍ରେରି ତଦନ୍ତ କରିବ। ବିରୋଧୀ ଲେବର ପାର୍ଟିର କେହି ସଦସ୍ୟ ଏହି ତଥ୍ୟ ଲିକ୍ କରିଥାଇପାରନ୍ତି ବୋଲି ସୁନକ ଭାବୁଛନ୍ତି। କୌଣସି ବ୍ୟକ୍ତିଙ୍କ ଟିକସ ତଥ୍ୟ ଜାରି କରିବାକୁ ବ୍ରିଟେନ୍ରେ ଅପରାଧ ଭାବେ ବିଚାର କରାଯାଉଛି। ଅକ୍ଷତା ହେଉଛନ୍ତି ଜଣେ ଭାରତୀୟ ନାଗରିକ, ତେଣୁ ବିଦେଶ ସମ୍ପତ୍ତିରୁ ତାଙ୍କର ଯେଉଁ ଆୟ ହେଉଛି ସେଥିପାଇଁ ସେ ବ୍ରିଟେନ୍ରେ ଟିକସ ଦେବାକୁ ବାଧ୍ୟ ନୁହନ୍ତି।
ଏହି ତଥ୍ୟ ପ୍ରଘଟ ହେବା ପରେ ସୁନକଙ୍କୁ ବିରୋଧୀ ଦଳ ସଦସ୍ୟମାନେ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟେନ୍ରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ରିଷିଙ୍କ ଉପରେ ଚାପ ରହିଛି। ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ ଅକ୍ଷତାଙ୍କ ସେୟାର ଥିବା କଂପାନି ଇନ୍ଫୋସିସ୍ର ଏକ କାର୍ଯ୍ୟାଳୟ ରୁଷ୍ରେ ରହିଥିବାରୁ ବିରୋଧୀ ସଦସ୍ୟମାନେ ତାହାକୁ ଅସ୍ତ୍ର କରି ସୁନକଙ୍କୁ ସମାଲୋଚନା କରୁଛନ୍ତି। ଗତ ଶୁକ୍ରବାର ଅକ୍ଷତା କହିଥିଲେ ଯେ ତାଙ୍କ ପତିଙ୍କୁ ସମାଲୋଚନାରୁ ବଞ୍ଚାଇବା ଲାଗି ଦରକାର ପଡ଼ିଲେ ସେ ବ୍ରିଟେନ୍ରେ ଟିକସ ଦେବେ। ଟ୍ବିଟରରେ ଏକ ବିଜ୍ଞପ୍ତି ଜାରି କରି ସେ ଲେଖିଛନ୍ତି ଯେ ସାରା ବିଶ୍ବରୁ ମୋର ଯେଉଁ ଆୟ ହେଉଛି ତାହା ଉପରେ ଯଦି ମୁଁ ବ୍ରିଟେନ୍ରେ ଟିକସ ଦେବି ତା’ ସତ୍ତ୍ବେ ଭାରତ ମୋର ଜନ୍ମ ସ୍ଥାନ ହୋଇରହିବ। ମୁଁ ଭାରତର ନାଗରିକ, ମୋ ଅଭିଭାବକ ସେଠାରେ ରହୁଛନ୍ତି। ଏହି ତଥ୍ୟ ବଦଳିଯିବ ନାହିଁ। ମୁଁ ବ୍ରିଟେନ୍କୁ ମଧ୍ୟ ଭଲ ପାଏ ବୋଲିସେ ଜଣାଇଛନ୍ତି। ସୁନକଙ୍କୁ ବ୍ରିଟେନ୍ର ପରବର୍ତ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଛି। ବର୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସେ ଉତ୍ତରାଧିକାରୀ ହୋଇପାରନ୍ତି। ପତ୍ନୀଙ୍କ ଟିକସକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଥିବା ସୁନକଙ୍କୁ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସମର୍ଥନ ଦିଆଯାଉଛି।