ସୁନ୍ଦରଲାଲ ବହୁଗୁଣା ଆଉ ନାହାନ୍ତି
ନୂଆଦିଲ୍ଲୀ : ବିଶିଷ୍ଟ ପରିବେଶବିତ୍ ତଥା ଚିପ୍କୋ ଆନ୍ଦୋଳନର ପ୍ରବର୍ତ୍ତକ ସୁନ୍ଦରଲାଲ ବହୁଗୁଣାଙ୍କର ଶୁକ୍ରବାର ୯୪ ବର୍ଷରେ ପରଲୋକ ହୋଇଯାଇଛି। ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିବା ବିଷୟ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଏମ୍ସ ପକ୍ଷରୁ ଘୋଷଣା କରାଯାଇଛି। କରୋନାରେ ଆକ୍ରାନ୍ତ ହେବାପରେ ଗତ ୮ ତାରିଖରୁ ସେ ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କ ଶରୀରର ଅମ୍ଳଜାନ ସ୍ତର ଖୁବ୍ ତଳକୁ ଖସିଯାଇଥିଲା। ଡାକ୍ତରଖାନାର ଆଇସିୟୁରେ ସେ ସିପିଏପି ଥେରାପିରେ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବହୁଗୁଣାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରକୃତି ସହିତ ସମନ୍ବୟ ରଖି ବଞ୍ଚିବା ପାଇଁ ଆମର ରହିଥିବା ଶହ ଶହ ବର୍ଷର ପରମ୍ପରା ସ୍ବର୍ଗତ ବହୁଗୁଣାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କର ପରଲୋକ ଦେଶ ପାଇଁ ଏକ ଐତିହାସିକ କ୍ଷତି ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ସେହିଭଳି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମଧ୍ୟ ବହୁଗୁଣାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ଚିପ୍କୋ ଆନ୍ଦୋଳନକୁ ବହୁଗୁଣା ଏକ ଗଣ ଆନ୍ଦୋଳନରେ ପରିଣତ କରିଥିଲେ। ବିଶିଷ୍ଟ ଗାନ୍ଧୀବାଦୀ ଭାବେ ଜଣାଶୁଣା ସ୍ବର୍ଗତ ବହୁଗୁଣାଙ୍କ ଚିପ୍କୋ ଆନ୍ଦୋଳନ ଯୋଗୁ ଭାରତରେ ଜଙ୍ଗଲ ସଂରକ୍ଷଣ ଏକ ନୂଆ ଦିଗ ନେଇଥିଲା ବୋଲି ଶ୍ରୀ ସିଂହ ମତ ଦେଇଛନ୍ତି।
ଚିପ୍କୋ ଆନ୍ଦୋଳନ କ’ଣ?
ଚିପ୍କୋ ଅର୍ଥ ‘କୁଣ୍ଢେଇ ଧରିବା’। ଗତ ଶତାବ୍ଦୀର ୭୦ ଦଶକରେ ବହୁସଂଖ୍ୟାରେ ଗଛ କଟାଯିବା ଫଳରେ ତାହା ଲୋକଙ୍କ ଜୀବିକାକୁ ପ୍ରଭାବିତ କଲା। ଉତ୍ତରାଖଣ୍ଡର ଚାମୋଲିରେ ଗ୍ରାମବାସୀମାନେ ଅବାଧ ଗଛକଟାକୁ ବିରୋଧ କଲେ। ଅଳକାନନ୍ଦା ନଦୀ ଉପରେ ପରିବେଶର ପ୍ରଭାବକୁ ଅଣଦେଖା କରି ସରକାର ୧୯୭୪ ମସିହା ଜାନୁଆରିରେ ୨୫୦୦ ଗଛ କାଟିବା ପାଇଁ ନିଲାମ ଡାକିଥିଲେ। ଗଛ କାଟିବା କାର୍ଯ୍ୟ ପାଇଁ ଯେତେବେଳେ ଗଛକଟାଳିମାନେ ଆସିଲେ ସେମାନଙ୍କୁ ଗ୍ରାମର ଜଣେ ଝିଅ ପ୍ରଥମେ ଦେଖିଥିଲା। ଏହାପରେ ବହୁସଂଖ୍ୟାରେ ମହିଳା ଆସି ଗଛଗୁଡ଼ିକୁ କୁଣ୍ଢେଇ ଧରିଥିଲେ। ଗଛକଟାଳିଙ୍କ ଧମକ ସତ୍ତ୍ବେ ମହିଳାମାନେ ଗଛକୁ ଜାବୁଡ଼ି ଧରି ରହିଥିଲେ। ମୁଖ୍ୟତଃ ୩ ଜଣ ସ୍ଥାନୀୟ ମହିଳା ସୌରା ଦେବୀ, ସୁଦେଶା ଦେବୀ ଏବଂ ବଚନି ଦେବୀ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। କିନ୍ତୁ ସୁନ୍ଦରଲାଲ ବହୁଗୁଣା ଉକ୍ତ ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିକଟରେ ବହୁଗୁଣାଙ୍କ ଆନ୍ଦୋଳନର ସ୍ବର ପହଞ୍ଚିଥିଲା। ଏହାପରେ ୮୦ ଦଶକରେ ସବୁଜ ଗଛ କଟା ଉପରେ ୧୫ ବର୍ଷର ନିଷେଧାଦେଶ ଜାରି ହୋଇଥିଲା। ଏହାପରେ ଉତ୍ତରାଖଣ୍ଡରେ ଭାଗୀରଥୀ ନଦୀ ଉପରେ ତେହରି ଡ୍ୟାମ ନିର୍ମାଣକୁ ସେ ତୀବ୍ର ବିରୋଧ କରିଥିଲେ। ସତ୍ୟାଗ୍ରହ ଓ ଆମରଣ ଅନଶନ ନୀତିକୁ ପାଥେୟ କରି ସେ ଆନ୍ଦୋଳନକୁ ଆଗକୁ ନେଇଥିଲେ।